ମାଲକାନଗିରି,ଏନ୍ଏନ୍ଏସ୍:ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ପରଜାଗୁଡ଼ା ସାହିସ୍ଥିତ ସାଉଥ କୋ ସହକାରୀ ଯନ୍ତ୍ରୀଙ୍କ ବାସଗୃହରୁ ଗତକାଲି ବିଳମ୍ବିତ ରାତିରେ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାଉଥ କୋ ସହକାରୀ ଯନ୍ତ୍ରୀ ସୁରୋଜ ପଟ୍ଟନାୟକ ସରକାରୀ ବାସଗୃହରେ ଶୋଇଥିବାବେଳେ ତାଙ୍କ କୁକୁର ଭୋକିବାରୁ ଉଠିଥିଲେ। ତେବେ ଘରବାଡ଼ିିରେ ଯାଇ ଏକ ବିରାଟ ଅଜଗର ସାପ ଥିବା ଦେଖି ମାଲକାନଗିରି ବନାଂଚଳ ଅଧିକାରୀ ବାସୁଦେବ ନାୟକଙ୍କୁ ଫୋନ କରିଥିଲେ। ପରେ ବନାଂଚଳ ଅଧିକାରୀ ଶ୍ରୀ ନାୟକ ସ୍ନେକ ଲାଇନର ସଦସ୍ୟ ସ୍ନେହାଶିଷ ନାୟକ ଓ ତାଙ୍କ ସହଯୋଗୀ ତପନ ସେଠୀ, ଶରତ ଜାନୀଙ୍କୁ ଖବର ଦେଇଥିଲେ। ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚି ସାପକୁ ଉଦ୍ଧାର କରିଥିଲେ। ସାପର ଲମ୍ବ ପ୍ରାୟ ୧୦ ଫୁଟ ଓ ଓଜନ ୨୦ କିଲୋଗ୍ରାମ ଥିବା ବନାଂଚଳ ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିବା ସହ ଉଦ୍ଧାର ପରେ ସାପକୁ ଜଙ୍ଗଲରେ ଛାଡ଼ିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।