ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଲେଶିରା ଗ୍ରାମ ନିକଟ ରେଳ ଲାଇନରୁ ଏକ ଶବ ଉଦ୍ଧାର ହୋଇଛି। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଟିଟିଲାଗଡ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ମୁରିବାହାଲ୍ ପୁଲିସକୁ ହସ୍ତାନ୍ତର କରିଛି। ମୃତ ଯୁବକ ଜଣକ ମାଲେଶିରା ଗ୍ରାମର ଗୁଞ୍ଜନ ମହାନନ୍ଦ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଗତ ମାସ ୫ ତାରିଖରେ ଗୁଞ୍ଜନ ମହାନନ୍ଦ ଭଲ ପାଉଥିବା ଉକ୍ତ ଗ୍ରାମର ଜଣେ ଯୁବତୀ ଘରକୁ ଯାଇ ମଦ୍ୟପାନ ଅବସ୍ଥାରେ ପାଟିତୁଣ୍ଡ କରିବା ପରେ ହତାହାତି ମଧ୍ୟ ହୋଇଥିଲା।
ଏନେଇ ମୁରିବାହାଲ ଥାନାରେ ବଂଶୀଧର ସୁନା ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଗତ ବିଳମ୍ବିତ ରାତିରେ ଗୁଞ୍ଜନଙ୍କ ମୃତଦେହ ରେଳ ଲାଇନରେ କଟା ଅବସ୍ଥାରେ ମିଳିଥିବା ବେଳେ ତାଙ୍କ ବାଇକ କିଛି ଦୂରରେ ଥିଲା। ଏନେଇ ଟିଟିଲାଗଡ଼ ଜିଆରପି ଏକ ମାମଲା ରୁଜୁକରି ମୁରିବାହାଲ ପୁଲିସକୁ ତଦନ୍ତ ଚଳାଇବା ପାଇଁ ହସ୍ତାନ୍ତର କରିଥିବା ଜଣାଯାଇଛି। ମୃତ ଯୁବକର ପରିବାର ମୁରିବାହାଲ ଥାନାରେ ଗୁଞ୍ଜନକୁ ମଦ ପିଆଇ ହତ୍ୟା କରି ରେଳ ଲାଇନରେ ପକେଇ ଦେଇଥିବା ଅଭିଯୋଗ କରିଛନ୍ତି। ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ ମହାପାତ୍ର ନିଜେ ଘଟଣାର ତଦନ୍ତ କରୁଛନ୍ତି।