ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷ ଫେବୃଆରୀରେ ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାରେ କଥିତ ଭୂମିକା ତୁଲାଇଥିବା ଅଭିଯୋଗରେ ପୁଲିସ ରବିବାର ବିଳମ୍ବିତ ରାତି ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖଲିଦଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ ଖଲିଦକୁ ଦୀର୍ଘ ୧୧ ଘଣ୍ଟା ଯାଏଁ ପଚରାଉଚରା କରିବା ପରେ ଗିରଫ କରିଛି। ଖଲିଦକୁ ଆଜି କୋର୍ଟରେ ହାଜର କରାଯିବ।
ଦିଲ୍ଲୀ ହିଂସା ଘଟଣାରେ ଦିଲ୍ଲୀ ପୁଲିସ ସେପ୍ଟେମ୍ବର ୨ରେ ଉମରକୁ କିଛି ଘଣ୍ଟା ପାଇଁ ପଚରାଉଚୁରା କରିଥିଲା। ଏହି ପଚରାଉଚୁରା ସମୟରେ ହିଂସା ମାମଲାରେ ଉମରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ। ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ମଧ୍ୟ ହିଂସା ପଛରେ କଥିତ ଷଡ଼ଯନ୍ତ୍ର ମାମଲାରେ ଉମରଙ୍କୁ ପଚରାଉଚୁରା କରିବା ସହ ତାର ମୋବାଇଲ ଫୋନ ମଧ୍ୟ ଜବତ କରିଥିଲା।
ଉମର ଖଲିଦ ସର୍ବ ପ୍ରଥମେ ୨୦୧୬ରେ ଜେଏନୟୁରେ ହୋଇଥିବା କଥିତ ଦେଶଦ୍ରୋହୀ ସ୍ଲୋଗାନ ଦେଇ ଚର୍ଚ୍ଚାକୁ ଆସିଥିଲା। ସେ ଜେଏନୟୁର ପୂର୍ବତନ ଛାତ୍ର ସଂଘ ସଭାପତି କହ୍ନେୟା କୁମାରଙ୍କ ସହିତ ଦେଶଦ୍ରୋହ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ସଂପୃକ୍ତ ଥିଲା।
ସୂଚନାଯୋଗ୍ୟ, ସଂଶୋଧିତ ନାଗରିକତା ଆଇନ (ସିଏଏ)ର ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ଗତ ଫେବୃଆରୀ ୨୪ରେ ଉତ୍ତର-ପୂର୍ବ ଦିଲ୍ଲୀରେ ସାଂପ୍ରଦାୟିକ ହିଂସା ଉପୁଜିଥିଲା। ଏଥିରେ ଅତିକମରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ଜଣ ଆହତ ହୋଇଥିଲେ। ଏହି ହିଂସା ଘଟଣା ସହିତ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି।