ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିିବ ବିରୋଧୀ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ସଂକଟ ମଧ୍ୟରେ ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଅକ୍ଟୋବର ୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ୨୩ଟି ବିଲ ଆଣିବାକୁ ପ୍ରସ୍ତୁତ ଅଛନ୍ତି, ଯେଉଁଥିରେ ୧୧ଟି ଅଧ୍ୟାଦେଶ ସାମିଲ ଅଛି। ଅଧିବେଶନ କାଳରେ ସରକାରଙ୍କ ତରଫରୁ ବହୁତ ଜରୁରୀ ଏଜେଣ୍ଡା ଆଗକୁ ବଢ଼ାଇବାକୁ ଉଦ୍ୟମ କରାଯିବ। ଅନ୍ୟପକ୍ଷରେ ବିରୋଧୀମାନେ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଟାର୍ଗେଟ କରିବାକୁ ପ୍ରସ୍ତୁତ ରହିଛନ୍ତି। ଏଥିରେ କରୋନା ନେଇ ସରକାରଙ୍କ ପରିଚାଳନା, ଅର୍ଥନୀତି, ଭାରତ-ଚୀନ ସୀମା ଉତ୍ତେଜନା, ବେକାରୀ ସମସ୍ୟା, ଜିଏସଟି ଆଦି ସାମିଲ ରହିଛି। ଗତକାଲି ଲୋକସଭାର ୫ ଜଣ ସଦସ୍ୟ କରୋନା ପଜିଟିଭ ଥିବା ଜଣାପଡିଛି। ବର୍ତ୍ତମାନ ଅଧିକ ସାଂସଦଙ୍କ କରୋନା ପରୀକ୍ଷା ଚାଲିଛି।

ସେହିପରି ଲୋକସଭା ପ୍ରତିଦିନ ୪ ଘଣ୍ଟା ବସିବ। ଏହି ପରିପ୍ରେକ୍ଷୀରେ, ଶୂନ୍ୟ କାଳର ଅବଧି ମଧ୍ୟ ଅଧ ଘଣ୍ଟାକୁ ହ୍ରାସ କରାଯାଇଛି। ପ୍ରଶ୍ନଗୁଡ଼ିକର ଲିଖିତ ଆକାରରେ ଉତ୍ତର ଦିଆଯିବ। ସଂସଦ ଅଧିବେଶନ ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ଏହି ସଙ୍କଟ ସମୟରେ ସମସ୍ତେ ଏକ ହୋଇ କାମ କରିବା ଆବଶ୍ୟକ। ସାମ୍ବିଧାନିକ ଦାୟିତ୍ୱ ଗୁଡିକ ପୂରଣ କରିବାର ଏବେ ସମୟ। ସମସ୍ତ ସଦସ୍ୟଙ୍କୁ ଅଧିବେଶନ ପୂର୍ବରୁ ସେମାନଙ୍କର କରୋନା ଟେଷ୍ଟ କରିବାକୁ ପଡିବ। ସାଂସଦମାନେ ସେମାନଙ୍କର ଉପସ୍ଥିତିକୁ ଡିଜିଟାଲ ରେଜିଷ୍ଟ୍ରେସନ ମାଧ୍ୟମରେ କରିପାରିବେ। ଏଥର ସଂସଦ ଗୃହରେ ଡିଜିଟାଲ ଏଲଇଡିର ବ୍ୟବସ୍ଥା ହୋଇଛି। ତେବେ ସଂକ୍ରମଣକୁ ରୋକିବା ପାଇଁ ନିରନ୍ତର ସାନିଟାଇଜ୍‌ ବ୍ୟବସ୍ଥା କରାଯାଇଛି।