ଚେନ୍ନାଇ ସୁପର କିଙ୍ଗସର ୧୦ଜଣଙ୍କୁ କରୋନା

ଦୁବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବାକୁ ୟୁଏଇରେ ଥିବା ଚେନ୍ନାଇ ସୁପର କିଙ୍ଗସ (ସିଏସକେ)ର ୧୦ଜଣ ସଦସ୍ୟ  କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏ ସମ୍ପର୍କରେ ସିଏସକେ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରେ ଭାରତୀୟ ଦଳର ଜଣେ ପେସର, କିଛି ନେଟ୍ ବୋଲର, ସପୋର୍ଟ ଷ୍ଟାଫ୍ ଓ ସୋସିଆଲ ମିଡିଆରେ କାମ କରୁଥିବା କିଛି ଷ୍ଟାଫ୍ ଅଛନ୍ତି। ରିପୋର୍ଟ ପଜିଟିଭ୍ ଆସିବା ପରେ କିଛି ସେଲଫ ଆଇସୋଲେସନ ଓ ଆଉ କିଛି କ୍ୱାରେଣ୍ଟାଇନରେ ରହିଛନ୍ତି। ସିଏସକେ ଦୁବାଇରେ ରହୁଥିବାରୁ ଏଠାରେ ୬ଦିନ ସମସ୍ତେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଶୁକ୍ରବାର ସିଏସକେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଏବେ ସେପ୍ଟେମ୍ବର ୧ ପୂର୍ବରୁ ଏହି ଟିମ୍ ଆଉ ଅଭ୍ୟାସ କରିପାରିବ ନାହିଁ। ସେପ୍ଟେମ୍ବର ୧୯ରେ ଆଇପିଏଲ୍ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଯଦି ଦୁଇ ସପ୍ତାହ ଆଗରୁ ଦଳ ଅଭ୍ୟାସ କରିବାରେ ଅସମର୍ଥ ହୁଏ ତେବେ ଏହାର ପ୍ରଭାବ ଖେଳ ଉପରେ ନିଶ୍ଚିତ ପଡ଼ିବ। ଏହି ଘଟଣା ସିଏସକେକୁ ଶକ୍ତ ଧକ୍କା ଦେଇଛି।