ସାମୁଦ୍ରିକ ଝଡ଼ ‘ଲୌରା’ ତାଣ୍ଡବ, ୬ ମୃତ

ନ୍ୟୁୟର୍କ, ଏଜେନ୍ସି : ଗୁରୁବାର ଲୁଇସିଆନାରେ ସାମୁଦ୍ରିକ ଝଡ଼ ‘ଲୌରା’ ତାଣ୍ଡବ ରଚିଛି। ଫଳରେ ଅନ୍ୟୂନ ୬ ଜଣଙ୍କର ପ୍ରାଣହାନି ଘଟିଛି ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ବିଶାଳ ଗଛଗୁଡ଼ିକ ଉପୁଡ଼ିଯାଇଛି। ବିରାଟ ଅଟ୍ଟାଳିକାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। କେତୋଟି ଘର ଉପରେ ଗଛଗୁଡ଼ିକ ପଡ଼ିଯିବା ଫଳରେ ଧନଜୀବନ ହାନି ଘଟିଛି। ଲୁଇସିଆନାରେ ପ୍ରଳୟ କରିବା ପରେ ଲୌରା କ୍ରମେ ଆର୍କାନସାସ୍ ଆଡ଼କୁ ମୁହାଁଇଛି। ଘୂର୍ଣ୍ଣିଝଡ଼ ପ୍ରଭାବରେ ୱେଷ୍ଟଲେକସ୍ଥିତ ଗୋଟିଏ କେମିକାଲ୍ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ଫଳରେ ନିକଟବର୍ତ୍ତୀ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରଶାସନ ପକ୍ଷରୁ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଲୌରା ପ୍ରଭାବରେ ଲୁଇସିଆନା, ଟେକ୍ସାସ ଓ ଆର୍କାନ୍ସାସରେ ପ୍ରାୟ ୮.୬୭ ଲକ୍ଷ ଘରକୁ ବିଦ୍ୟୁତ ସଂଯୋଗ ବାଧାପ୍ରାପ୍ତ ହୋଇଛି।