୩.୮୨ ଲକ୍ଷ ଜଳବନ୍ଦୀ, ୫ ମୃତ : ୧୬,୬୮୪ ଜଣ ବନ୍ୟାକ୍ଲିଷ୍ଟଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲଗାଣ ବର୍ଷାଜନିତ ବନ୍ୟା ଯୋଗୁଁ ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, କଟକ, ଯାଜପୁର, ଢେଙ୍କାନାଳ, ନୂଆପଡ଼ା, ଦେବଗଡ଼ ଓ ସୋନପୁର ଆଦି ୧୦ ଜିଲ୍ଲାର ୩୯ ବ୍ଲକ୍ ଅନ୍ତର୍ଗତ ୯୯୭ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଛି। ଏପର୍ଯ୍ୟନ୍ତ ୪ ଲକ୍ଷ ୧୩ ହଜାର ୫୧୨ଜଣ ପ୍ରଭାବିତ ହୋଇଛନ୍ତି। ୫୫୧ଟି ଗ୍ରାମର ୩ ଲକ୍ଷ ୮୨ହଜାର ୨୧୬ ଜଣ ଲୋକ ପାଣି ଘେରରେ ରହିଛନ୍ତି। ମୋଟ ୧୩୬୪ ଘର କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରୁ ୨୮ଟି ଘର ସମ୍ପୂର୍ଣ୍ଣ ବା ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ୧୩୩୬ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୭୪ ହଜାର ୨୭୧ ହେକ୍ଟର ଜମିର ଚାଷ କ୍ଷତିଗ୍ରସ୍ତ ହୋଇଛି। ଏହାସହ ୫ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଶୁକ୍ରବାର ମୁଖ୍ୟ ସଚିବ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ଏପର୍ଯ୍ୟନ୍ତ ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲେ।

ଏହି ସମୀକ୍ଷାରୁ ଜଣାପଡ଼ିଛି ଯେ ୧୬,୬୮୪ ଜଣ ବନ୍ୟାକ୍ଲିଷ୍ଟ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ୧୦୦ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ୧ ଲକ୍ଷ ୫ ହଜାର ୮୮୧ଟି ପ୍ରାଣୀ ସମ୍ପଦ କ୍ଷତିଗ୍ରସ୍ତ ହୋଇଛନ୍ତି। ୫ଟି ସହରାଞ୍ଚଳରେ ମଧ୍ୟ କ୍ଷୟକ୍ଷତି ହୋଇଛି। ବରଗଡ, ଯାଜପୁର, ବାଲେଶ୍ୱର, ନୂଆପଡା ଓ ଭଦ୍ରକ ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ବନ୍ୟାଜନିତ ବିପଦରୁ ଉଦ୍ଧାର ତଥା ଥଇଥାନ ନିମନ୍ତେ ୭ଟି ଓଡ୍ରାଫ୍ ଟିମ୍ ଓ ୭ଟି ଏନଡିଆରଏଫ ଟିମ୍ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଓଡ୍ରାଫ୍ ଟିମ୍, ବାଲେଶ୍ୱରରେ ଗୋଟିଏ ଓଡ୍ରାଫ ଟିମ୍, ୨ ଏନଡିଆରଏଫ୍, ଭଦ୍ରକରେ ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ୍, ଯାଜପୁରରେ ୨ ଓଡ୍ରାଫ୍ ଓ ୩ ଏନଡିଆରଏଫ୍ ଏବଂ କେନ୍ଦ୍ରାପଡାରେ ୨ ଓଡ୍ରାଫ ଓ ୧ ଏନଡିଆରଏଫ ଟିମ୍ ନିୟୋଜିତ କରାଯାଇଛି।

ଅନ୍ୟପକ୍ଷରେ ବୈତରଣୀ ବନ୍ୟା ପ୍ରଭାବରେ ଭଦ୍ରକ ଓ ଯାଜପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଭଦ୍ରକର ବିଶେଷ କରି ଧାମନଗରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଯାଜପୁରର ଜିଲ୍ଲାରେ ମଧ୍ୟ ଅନେକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଜିଲ୍ଲାର ବହୁ ଲୋକ ନିଜ ଘରୁ ଆସି ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଏନଡିଆରଏଫ୍, ଓଡ୍ରାଫ ଟିମ୍ ସହିତ ଅଗ୍ନିସମ ବାହିନୀ ଏଠାରେ ପହଞ୍ଚି ଲୋକମାନଙ୍କୁ ସ୍ଥାନାନ୍ତର କରୁଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରାୟ ୧୧୨ ପଞ୍ଚାୟତର ୫୧୨ଟି ଗାଁ ପ୍ରଭାବିତ ହୋଇଛି। ପାଖାପାଖି ୮୦ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେହିପରି ଯାଜପୁର ଜିଲ୍ଲାରେ ବୈତରଣୀ ସମେତ ବ୍ରାହ୍ମଣୀରେ ବନ୍ୟା ଆସିବା ଦ୍ୱାରା ବରୀ ବ୍ଲକରେ ୧୬ଟି ଘାଇ ହୋଇଛି। ୧୦ରୁ ୧୨୦ ମିଟର ପର୍ଯ୍ୟନ୍ତ ଏହି ଘାଇ ଗୁଡ଼ିକ ରହିଛି। ଏହାଦ୍ୱାରା ବ୍ଲକଟି ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ମୋଟ୍ ୧୨୪ଟି ପଞ୍ଚାୟତ ଅନ୍ତର୍ଗତ ୫୩୦ଟି ଗାଁର ୪ ଲକ୍ଷ ଲୋକ ଜଳବନ୍ଧୀ ହୋଇ ରହିଛନ୍ତି। ଏଠାରେ ପ୍ରାୟ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଶୁଖିଲା ଖାଦ୍ୟ ଦିଆଯାଉଛି।