କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆସନ୍ତା ୨୭ରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହେବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ସେଥିପାଇଁ ଜିଲ୍ଲାପାଳ ହସ୍ପିଟାଲର ବ୍ଲଡ ବ୍ୟାଙ୍କ ପରିଦର୍ଶନ କରି ପ୍ଲାଜମା ମେସିନ ଦେଖିଥିଲେ। ଏହି ଅବସରରେ ଏଡିଏମ ଦେବେନ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ପ୍ଲାଜମା ବ୍ୟାଙ୍କ ଜିଲ୍ଲା ନୋଡାଲ ଅଧିକାରୀ ମହେଶ୍ୱର ଚନ୍ଦ୍ର ନାୟକ, ଓସ୍ୱାନର ଡିଜିଏମ ମନୋଜ ଦାସ, କୋରାପୁଟ ପିଡବ୍ଲୁଡି ଡିଭିଜନର ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ, ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର, ହସ୍ପିିଟାଲ ଅଧୀକ୍ଷକ ଡା. ସୀତାରାମ ମହାପାତ୍ର ଓ ହସ୍ପିିଟାଲ ପ୍ରଶାସନିକ ଅଧିକାରୀ ମଧୁମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ଲାଜମା ଦାନ କରିବାକୁ ଚାହୁଁଥିବା ୯ଜଣ ବ୍ୟକ୍ତିଙ୍କ ସାମ୍ପୁଲ ଭୁବନେଶ୍ୱର ପରୀକ୍ଷା ନିମନ୍ତେ ପଠାଯାଇଥିଲା। ସେଥିମଧ୍ୟରୁ ୭ଜଣ ପ୍ଲାଜମା ଦାନ ନିମନ୍ତେ ଯୋଗ୍ୟ ଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏଥିସହିତ ୭ଜଣଙ୍କ ମଧ୍ୟରୁ ଉଦଘାଟନୀ ଦିନ ୪ଜଣ ପ୍ଲାଜମା ଦାନ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।