ଷ୍ଟ୍ରୀଟ ଭେଣ୍ଡରଙ୍କୁ ସାହାଯ୍ୟ ନେଇ ବିଜେପିର ଦାବି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ କାର୍ଯ୍ୟକ୍ଷମ କରାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଦଳର ସମ୍ପାଦକ ଦିଲ୍ଲୀପ ମହାନ୍ତି ନିଜ ଅଭିଯୋଗରେ କହିଛନ୍ତି ଯେ, ରାସ୍ତାପାଶ୍ୱର୍ ଉଠାଦୋକାନୀମାନଙ୍କୁ (ଷ୍ଟ୍ରିଟ୍ ଭେଣ୍ଡର) ବୀମା ଭୁକ୍ତ କରାଇ ପ୍ରିମିୟମ ରାଶି ରାଜ୍ୟ ସରକାର ଦେବା ପାଇଁ ବିଜେପି ପକ୍ଷରୁ ଚଳିତ ମାସ ୨୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରାଯାଇଥିଲା। ଏହାର ଜବାବରେ ସରକାରୀ ଦଳ ମୁଖପାତ୍ର କିଛି ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ରାଜ୍ୟ ସରକାର ଜଣକ ପିଛା ୩୦୦୦ ହଜାର ଟଙ୍କା ଲେଖାଏଁ ୪୫,୬୦୦ ଜଣ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି। କିନ୍ତୁ ଏଭଳି କୋଣସି ତଥ୍ୟ ରାଜ୍ୟ ସରକାରଙ୍କ କୌଣସି ୱେବସାଇଟରେ କିମ୍ବା କୌଣସି ମହାନଗର ନିଗମ, ମ୍ୟୁନିସିପାଲିଟି, ଏନଏସିଗୁଡ଼ିକର ୱେବସାଇଟରେ ଉପଲବ୍ଧ ନାହିଁ। ତେଣୁ ଶାସକ ଦଳର ମୁଖପାତ୍ର ଏଭଳି ଭ୍ରମାତ୍ମକ ତଥ୍ୟଟି କେଉଁଠୁ ପାଇଲେ ଓ ଏହାର ସତ୍ୟତା ପ୍ରକାଶ କରିବାକୁ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲ୍ଲୀପ ମହାନ୍ତି ଦାବି କରିଛନ୍ତି।

 ରାଜ୍ୟରେ ଥିବା ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟି ଓ ୬୧ଟି ଏନଏସିଗୁଡ଼ିକରେ ଷ୍ଟ୍ରୀଟ୍ ଭେଣ୍ଡର ତାଲିକା କାହିଁକି ସାର୍ବଜନୀନ କରାଯାଇ ନାହିଁ? ସେହିପରି ଷ୍ଟ୍ରୀଟ୍ ଭେଣ୍ଡର ଚିହ୍ନଟ ପକ୍ରିୟା କେବେ କରାଯାଇଥିଲା ତାହାର ଜବାବ ଦେବା ପାଇଁ ଶ୍ରୀ ମହାନ୍ତି ଉଭୟ ଦାବି କରିଛନ୍ତି। ପିଏମ୍ ଷ୍ଟ୍ରୀଟ୍ ଭେଣ୍ଡରସ୍ ଆତ୍ମନିର୍ଭର ନିଧି ଯୋଜନାରେ ହିତାଧିକାରୀଙ୍କ ଇ- ରେଜିଷ୍ଟ୍ରେସନ ପାଇଁ ବିଏମସିର ସମସ୍ତ ୩ଟି ଜୋନାଲ ଅଫିସରେ ହେଲ୍ପ ଡେସ୍କ ଖୋଲାଯାଇ ଏହାର ପରିଚାଳନା କରାଯାଉ। ସେହିପରି ୨୪ ମାର୍ଚ୍ଚ ୨୦୨୦ ତାରିଖ ପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇଥିବା ଷ୍ଟ୍ରୀଟ୍ ଭେଣ୍ଡର ତାଲିକାକୁ ଏହି ଯୋଜନାରେ ସାମିଲ୍ ହେବା ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି। ମାତ୍ର ଏହି ଅବଧିକୁ ଜୁନ୍ ୧, ୨୦୨୦କୁ ବୃଦ୍ଧି କରିବା ପାଇଁ ସେ ଦାବି କରିଛନ୍ତି। ଏଭଳି ଏକ ବିପତ୍ତି ସମୟରେ ସବୁଠାରୁ ବେଶୀ ଆର୍ଥିକ ଯନ୍ତ୍ରଣାରେ ପୀଡ଼ିତ ଥିବା ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆର୍ଥକ ସହାୟତା ଘୋଷଣା କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।