୫୦ ପ୍ରତିଶତ କର୍ମଚାରୀ ଆସିବାକୁ ଅନୁମତି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସରକାରୀ ଅଫିସ ବନ୍ଦ ରହିବ। ଏହାସହିତ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ କାର୍ଯ୍ୟ ପରିଚାଳନା ହେବ। ଏନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସରକାରୀ ଅଫିସ ପରିଚାଳନା ନେଇ ସତର୍କତା ଅବଲମ୍ବନ କରୁଛନ୍ତି। କିଭଳି କମ କର୍ମଚାରୀରେ ସରକାରୀ ଅଫିସଗୁଡିକରେ କାର୍ଯ୍ୟ ସମ୍ପାଦନ ହୋଇପାରିବ ସେନେଇ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ସାଧାରଣ ପ୍ରଶାନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଅଗଷ୍ଟମାସରେ ସମସ୍ତ ସରକାରୀ ବିଭାଗ ଏବଂ ଏହାର ଅଧିନସ୍ତ କାର୍ଯ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ମିଶାଇ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ସରକାରୀ କାର୍ଯ୍ୟ ଯେବଳି ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କେଉଁ ଅଧିକାରୀ ଏବଂ କର୍ମଚାରୀ ରୋଷ୍ଟର ଡ୍ୟୁଟି କରିବେ ତାହା ନିର୍ଦ୍ଧାରଣ କରିବେ। ତେବେ ଜରୁରୀ ସେବା ପ୍ରଦାନ କରୁଥିବା କାର୍ଯ୍ୟାଳୟ ଯେପରିକି, ଏସଆରସି ଓ ଓସଡମା କାର୍ଯ୍ୟାଳୟ, ପୋଲିସ, ଅଗ୍ନିସେବା, ସ୍ୱାସ୍ଥ୍ୟ ସେବା ଆଦି ଯୋଗାଉଥିବା ଅଫିସ ଗୁଡିକ ସମସ୍ତ କର୍ମଚାରୀଙ୍କ ସହ କାର୍ଯ୍ୟ କରିବେ। ଏହାସହିତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।