ଖଣିଜ ପରିବହନ ଟ୍ରକ ଚଳାଚଳ ଉପରେ ସାମୟିକ କଟକଣା ଦାବି

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ ଚଳାଚଳ କରୁଥିବା ଖଣିଜ ପରିବହନ ଯାନଗୁଡ଼ିକ ଉପରେ ସାମୟିକ କଟକଣା ଜାରି କରିବାକୁ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାରେ ବଢ଼ି ଚାଲିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଜିଲ୍ଲା ମଧ୍ୟରେ ଚାଲୁଥିବା ଖଣିଜ ବୋଝେଇ ଗାଡ଼ି ଗୁଡ଼ିକୁ ଅନ୍ତତଃପକ୍ଷେ ଏକ ସପ୍ତାହ ପାଇଁ ଚଳାଚଳ ବନ୍ଦ କରିବା ଜରୁରୀ ବୋଲି କଂଗ୍ରେସ ଦାବି ରଖିଛି । ବିଶେଷକରି ବଡ଼ବିଲ ପୌରାଞ୍ଚଳରେ ୧୫୦ରୁ ଅଧିକ ସ୍ଥାନୀୟ ମାମଲା ବାହାରିଥିବାବେଳେ ପ୍ରତିଦିନ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରର ଶହଶହ ଟ୍ରକ ଖଣିଜ ବୋଝେଇ ପାଇଁ ଆସୁଛନ୍ତି । ଟ୍ରକ ଡ୍ରାଇଭର ଓ ସହାୟକମାନେ ବଡ଼ବିଲ ଅଂଚଳରେ ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀ କିଣାକିଣି କରୁଛନ୍ତି । ତେଣୁ ଏହାଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ଥିବାରୁ ଅନ୍ତତଃପକ୍ଷେ ଡ୍ରାଇଭର ଓ ସହାୟକମାନଙ୍କର କୋଭିଡ ଟେଷ୍ଟ ହେଉ ନଚେତ ସପ୍ତାହକ ପାଇଁ କେନ୍ଦୁଝର ଜିଲ୍ଲାରେ ଖଣିଜ ପରିବହନ ଯାନଗୁଡ଼ିକୁ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି । ଏହି ସମୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୋହନ ପରିଡ଼ା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁନେଶ ଧୀର, ଛାତ୍ର କଂଗ୍ରେସ ସଂଯୋଜକ ଶୁଭମ ରାଜ, ଟାଉନ କଂଗ୍ରେସ ସଭାପତି ବସନ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ଉତ୍ତମ କୁମାର ସାହୁ, ବିଜୟ କୁମାର ରଣା, ଦେବେନ୍ଦ୍ର ନାୟକ ଓ ସୁଢ଼ଳ କୁମାର ସେଠୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ।