ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ବକ୍ସି ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରଲର ବାଇକକୁ ଧକ୍କା ଦେବାରୁ ସାନ ଭାଇର ମୃତ୍ୟୁ ହୋଇଛି। ସେହିପରି ବଡ ଭାଇକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ବିଟିଏମ ଥାନା ଅଧିକାରୀ ଶୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।
ପୁଲିସ ସୂଚନା ଅନୁସାରେ ସାନ ଭାଇ ବସନ୍ତ କୁଲୁ(୨୫) ଓ ବଡ଼ଭାଇ ସୁଶାନ୍ତ କୁଲୁ (୨୬) ଆଜି ସକାଳେ ବାଇକ ଯୋଗେ ଏଚ. କଟାପାଲି ସ୍ଥିତ ଭଉଣୀ ଘରକୁ ଆସି ନିଜ ଘର ସୁନ୍ଦରଗଡ଼କୁ ଫେରୁଥିଲେ। ଏହି ସମୟରେ ବକ୍ସି ଛକ ନିକଟରେ ତାଙ୍କୁ ଏକ ଟ୍ରଲର ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ଗୁରୁତର ଆହତ ହୋଇଥିଲେ। ସେହିପରି ଦୁର୍ଘଟଣା ପରେ ଟ୍ରଲର ଚାଳକ ଫେରାର ହୋଇଯାଇଛି। ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଦୁର୍ଘଟଣା ଗ୍ରସ୍ତ ୨ ଗାଡ଼ିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।