ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଦୁର୍ବଳ ହେଉଛି- ଡିଜିପି

ଫୁଲବାଣୀ,ତୁମୁଡ଼ିବନ୍ଧ,ବେଲଘର,ଏନ୍ଏନ୍ଏସ୍: ଗୁରୁବାର କନ୍ଧମାଳ ପୁଲିସ ଦ୍ୱାରା ୨ ମାଓବାଦୀଙ୍କ ମୃତ୍ୟୁପରେ ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ଫୁଲବାଣୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପୁଲିସର ଏହି ସଫଳତା ପାଇଁ କନ୍ଧମାଳ ଏସପି ଭିନିତ୍ ଅଗ୍ରୱାଲ ଓ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଅଭିନନ୍ଦନ ଜଣାଇ ଥିଲେ। ମାତ୍ର ୨୦ଦିନ ମଧ୍ୟରେ କନ୍ଧମାଳର ୩ଟି ଘଟଣାରେ ୭ ଜଣ କ୍ୟାଡର ମାଓବାଦୀ ନିହତ ହେବା ନିଶ୍ଚିତ ଭାବେ ଓଡିଶା ପୁଲିସର ବଡ଼ ସଫଳତା ବୋଲି ସେ କହିଥିଲେ। ଓଡିଶା ପୁଲିସର କ୍ରମାଗତ ମାଓ ଦମନ ଅଭିଯାନ ଯୋଗୁଁ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହୋଇପଡିଛି। ମାଓ ସଂଗଠନ ଗୁଡ଼ିକ ସମ୍ପୂର୍ଣ୍ଣଭାବେ ଦୋହଲି ଯାଇଥିବା ବେଳେ ଦିନକୁଦିନ ସ୍ଥିତି ବେଶ୍ ଦୁର୍ବଳ ହେଲାଣି। ରାଜ୍ୟର ୫ଟି ଜିଲ୍ଲା ଏବେ ମାଓ ମୁକ୍ତ ହୋଇ ସାରିଥିବା ବେଳେ ଖୁବ୍ ଶୀଘ୍ର କନ୍ଧମାଳ ମଧ୍ୟ ମାଓ ମୁକ୍ତ ହେବ ବୋଲି ସେ କହିଛନ୍ତି। ଏବେ ମାତ୍ର ୧୦ ପ୍ରତିଶତ ଓଡ଼ିଆ ମାଓବାଦୀ ହିଁ ସକ୍ରୀୟ ଅଛନ୍ତି। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ଅନ୍ୟ ରାଜ୍ୟର ବୋଲି ସେ ପ୍ରକାଶ କରିଥିଲେ। ତେଣୁ ସମସ୍ତ ମାଓବାଦୀମାନେ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରି ଆସନ୍ତୁ। ରାଜ୍ୟସରକାର ସେମାନଙ୍କ ଥଇଥାନ ପାଇଁ ଭଲ ପଲିସ କରିଛନ୍ତି। ସେହିପରି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଉପସ୍ଥିତ ରହି ଗୁରୁବାର ହୋଇଥିବା ଏନକାଣ୍ଟରର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଗୋଇନ୍ଦା ବିଭାଗର ନିର୍ଦ୍ଦେଶକ ଆର କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଏସଆଇଡବ୍ଲୁ ଡିଆଜି ଅନିରୁଦ୍ଧ କୁମାର ସିଂ, ଡ଼ିଆଜି ଇଣ୍ଟେଲଜେନ୍ସ ଅନୁପ କୁମାର ସାହୁ ଏବଂ କନ୍ଧମାଳ ଏସପି ଭିନିତ୍ ଅଗ୍ରୱାଲା ପ୍ରମୁଖ ଉପସ୍ଥିତ ଥିଲେ।