ଦେବଗଡ଼,ଏନ୍ଏନ୍ଏସ୍: ବୁର୍ଲା ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିଥିବା ଜଣେ ଗୁରୁତର ରୋଗୀଙ୍କୁ ପ୍ରଶାସନ ପକ୍ଷରୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯିବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି। କରୋନା ଭୟ ଯୋଗୁଁ ମୃତଦେହ ପରିବାର ନ ଛୁଇଁବାରୁ ପ୍ରକ୍ଷାଳୟର ମାଲିକ କ୍ଷୀରେଶ୍ୱର ପ୍ରଧାନ ଶବ ସତ୍କାର କରିଥିଲେ। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ସବଡିଭିଜନ ଗୁଢିଆଳି ଗ୍ର୍ରାମର ପ୍ରେମାନନ୍ଦ ସାହୁ(୬୦) ଦୀର୍ଘବର୍ଷ ଧରି ଦେବଗଡ଼ ପୌରାଞ୍ଚଳରେ ଥିବା ରାଧାରଣୀ ପ୍ରେକ୍ଷାଳୟରେ କାର୍ଯ୍ୟ କରୁଥିଲେ। ମାତ୍ର ଗତ କିଛିମାସ ପୂର୍ବରୁ କିଡନୀ ଓ ପକ୍ଷାଘାତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହେବାପରେ ପତ୍ନୀ ଶାନ୍ତିଲତା ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ମାସ ପୂର୍ବେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କରୋନା ସଂକ୍ରମଣ ପରେ ବୁର୍ଲା ମେଡିକାଲ ରୋଗୀମାନଙ୍କୁ ନିଜନିଜ ଅଞ୍ଚଳକୁ ଫେରାଇ ଦେଇଥିଲେ। ଫଳରେ ପ୍ରେକ୍ଷାଳୟ ମାଲିକଙ୍କ ସହାୟତାରେ ବଣାଇଁ ସ୍ଥିତ ନିଜ ଗ୍ରାମକୁ ଯାଇଥିଲେ ମଧ୍ୟ ସେଠାରେ ରହୁଥିବା ତାଙ୍କ ପୁଅମାନେ ଘରେ ପୂରାଇ ନଦେବାରୁ ପୁଣି ସେ ଦେବଗଡ଼ ଫେରିଆସିଥିଲେ।
ଅନ୍ୟପକ୍ଷ୍ୟରେ ବୁର୍ଲାରୁ ଫେରିଥିବା ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୧ ତାରିଖରୁ ସେ ରହୁଥିବା କୁଡିଆରେ ଲଟକା ଜାରି କରି ହୋମ୍ କ୍ୱାରେଣ୍ଟାଇନ କରିଥିଲେ। ଆଜି ପୂର୍ବାହ୍ନରେ ପ୍ରେମାନନ୍ଦଙ୍କ ମୃତ୍ୟୁ ହେବାପରେ କରୋନା ଭୟରେ କେହି ପାଖ ମାଡିନଥିଲେ। ଫଳରେ ପ୍ରେମାନନ୍ଦଙ୍କ ମାଲିକ କ୍ଷୀରେଶ୍ୱର ପ୍ରଧାନ ଶବବାହକ ଗାଡିରେ ନିଜର କେତେକ ସାଥୀଙ୍କ ସହ ଶବ ସତ୍କାର କରିଥିଲେ।