କେରାପୁଟରୁ ୩୩ କରୋନା ପଜିଟିଭ୍ ଚିହ୍ନଟ: ଜୟପୁର୍ ସହର ୪ ଦିନ ସଟଡାଉନ୍

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ଆଜି ୩୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୧ରେ ପହଞ୍ଚିଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସ୍ୱାସ୍ଥ୍ୟ କର୍ମଚାରୀ ରହିଛନ୍ତି। ସେହିପରି କୋରାପୁଟ ପୌରାଞ୍ଚଳରୁ ୫, ଜୟପୁର ପୌରାଞ୍ଚଳରୁ ୧୦, ଲକ୍ଷ୍ମୀପୁର ବ୍ଲକରୁ ୯, କୁନ୍ଦୁରାରୁ ୪, ଜୟପୁର ବ୍ଲକରୁ ୨, କୋରାପୁଟ ବ୍ଲକ, ସୁନାବେଡ଼ା ପୌରାଞ୍ଚଳ ଓ ଲମତାପୁଟରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୪ଜଣ ଟିଏମସିରୁ, ୪ଜଣ ହୋମ୍ କ୍ୱାରେଣ୍ଟାଇନ ଓ ୨୫ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ଭିତରୁ ୧୭ଜଣ କଣ୍ଟେନମେଣ୍ଟ ଜୋନରୁ ଥିବାରୁ ସେହି ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଅବଧି ବୃଦ୍ଧି କରାଯାଇଛି। ଜୟପୁର ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ି ଚାଲିଥିବାରୁ ଡୋର୍ ଟୁ ଡୋର୍ ସର୍ଭେ ଆରମ୍ଭ ହେବ। ଏଥିସହିତ ଶନିବାର ସକାଳଠାରୁ ମଙ୍ଗଳବାର ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪ଦିନ ପାଇଁ ଜିଲ୍ଲାପାଳ ସଟଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ଲକଡାଉନ ନିୟମ ମାନି ଜିଲ୍ଲା ପ୍ରଶାସନକୁ ସହାୟତା କରିବା ପାଇଁ ମଧ୍ୟ ଜିଲ୍ଲାପାଳ ଲୋକଙ୍କୁ ଅନୁରୋଧ କରିଛନ୍ତି।