ସ୍ଥାନାଭାବ ଯୋଗୁଁ ବିସ୍ଥାପିତ ଦୋକାନୀ ଚିନ୍ତାରେ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ଅଦାଲତ ରାସ୍ତା କଡ଼ରେ ଥିବା ଟାଇପରାଇଟର, ଷ୍ଟାମ୍ପଭେଣ୍ଡର, ଜେରକ୍ସ ଦୋକାନ, ଚା’ ଜଳଖିଆ, ପାନ ଦୋକାନ ଓ ନୋଟାରୀ କାର୍ଯ୍ୟାଳୟ ଗୁଡିକୁ ପୌରପରିଷଦ ପକ୍ଷରୁ ଉଚ୍ଛେଦ ପାଇଁ ନୋଟିସ ଜାରି କରାଯାଇଛି। ନୋଟିସ ଗ୍ରହଣପରେ ସ୍ଥାନାନ୍ତର ପାଇଁ ଦୋକାନୀମାନେ ପ୍ରକ୍ରିୟା ଆରମ୍ଭ କରି ସାରିଲେଣି। ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲା କୋଷାଗାର କଡ଼ରେ ଥିବା ସରକାରୀ ଜମିରେ ଅସ୍ଥାୟୀ ଦୋକାନ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ମାତ୍ର ଉକ୍ତ ଜାଗାକୁ ପୂର୍ବରୁ କିଛିବ୍ୟକ୍ତି ଜବର ଦଖଲ କରି ନେଇଛନ୍ତି। ଫଳରେ ବିସ୍ଥାପିତ ହେବାକୁ ଥିବା ଦୋକାନୀମାନେ ଜାଗା ନପାଇ ଚିନ୍ତାରେ ରହିଛନ୍ତି ।

ଏ ସମ୍ପର୍କରେ ପୌରପରିଷଦ ନିର୍ବାହୀ ଅଧିକାରୀ ଦିବ୍ୟ ଶଙ୍କର ଜୟପୁରିଆଙ୍କ ମତାମତ ନେବାରୁ ଉକ୍ତ ସ୍ଥାନରେ ବିସ୍ଥାପିତ ଦୋକାନୀଙ୍କ ପାଇଁ୧୦ଫୁଟ ସ୍ଥାନରେ ଅସ୍ଥାୟୀ ଦୋକାନ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ କିଛି ବ୍ୟକ୍ତି ୨୦ରୁ ୨୫ ଫୁଟ ସ୍ଥାନ ନିଜ ଅକ୍ତିଆରରେ ରଖିଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କହିଛନ୍ତି। ଏନେଇ ସେ ପୁଣିଥରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ବିସ୍ଥାପିତ ଦୋକାନୀଙ୍କୁ ଥଇଥାନ କରିବେ ବୋଲି କହିଛନ୍ତି।