ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାକୁ ନେଇ କେନ୍ଦ୍ରୀୟ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାଦ୍ୱାରା ମହିଳା ଅଧିକାରୀ ସଶକ୍ତ ହୋଇ ସେନାରେ ବଡ଼ ଭୂମିକା ନିର୍ବାହ କରିପାରିବେ। ସେମାନେ ୨୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସେବା ପ୍ରଦାନ କରିବା ସହ କର୍ଣ୍ଣେଲ ରାଙ୍କରେ ପହଞ୍ଚି ୟୁନିଟର କମାଣ୍ଡ ମଧ୍ୟ ସମ୍ଭାଳିପାରିବେ। ଏନେଇ ଭାରତୀୟ ସେନାର ପ୍ରବକ୍ତା କର୍ଣ୍ଣେଲ ଅମନ ଆନନ୍ଦ ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ବର୍ତ୍ତମାନ ସମୟରେ ଅସ୍ଥାୟୀ କମିଶନପ୍ରାପ୍ତ ମହିଳାଙ୍କ ପାଇଁ ଗୋଟିଏ ବୋର୍ଡ ସ୍ଥାପିତ କରାଯିବ। ଏହି ବୋର୍ଡର ଇଣ୍ଟରଭ୍ୟୁ ପାସ୍ କରି ସର୍ଟ ସର୍ଭିସ କମିଶନ (ଏସଏସସି)ରୁ ସେନାରେ ଚୟନ ହୋଇଥିବା ମହିଳାମାନେ ସ୍ଥାୟୀ କମିଶନ ପ୍ରାପ୍ତ କରିପାରିବେ।
ରକ୍ଷା ମନ୍ତ୍ରଣାଳୟର ନୂଆ ନିୟମ ଅନ୍ତର୍ଗତ ସ୍ଥଳ ସେନାର ୧୦ଟି ୱିଙ୍ଗ ଏମିତି ରହିଛି ଯେଉଁଥିରେ ଏବେ ମହିଳାମାନେ ସ୍ଥାୟୀ କମିଶନ ପ୍ରାପ୍ତ କରିପାରିବେ। ସେଗୁଡ଼ିକ ହେଲା ଆର୍ମି ଏୟାର ଡିଫେନ୍ସ, ସିଗନଲ୍ସ କୋର, ଇଞ୍ଜିନିୟର୍ସ ରେଜୀମେଣ୍ଟ, ଆର୍ମି ଏଭିଏସନ କୋର, ଇଏମଇ, ଆର୍ମି ସର୍ଭିସ କୋର, ଅର୍ଡିନାନ୍ସ କୋର, ଇଣ୍ଟେଲିଜେନ୍ସ କୋର, ଜଜ୍ ଏଡଭୋକେଟ ଜେନେରାଲ ଓ ଏଜୁକେସନ କୋର।
ସୂଚନାଯୋଗ୍ୟ, ବାୟୁସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ସହ ଲଢ଼ୁଆ ବିମାନ ଉଡ଼ାଇବାକୁ ମଧ୍ୟ ଅନୁମତି ମିଳିଯାଇଛି।