ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଉପ କାରାଗାରରେ ବର୍ତ୍ତମାନ ୬୦୦ରୁ ଅଧିକ କଏଦୀ ଓ ବିଚାରାଧୀନ କଏଦୀ ରହିଛନ୍ତି। ତେବେ ଏଠାରେ ଗୋଟିଏ କୋଠରୀରେ ୮୦ରୁ ଅଧିକ ଅଭିଯୁକ୍ତ ରହୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଫଳରେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନାହିିଁ। କରୋନାକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ଅନିବାର୍ଯ୍ୟ ହୋଇଥିବାବେଳେ ଅନ୍ୟ କୌଣସି ପନ୍ଥା ନଥିବାରୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କୋଭିଡ-୧୯ ଯୋଗୁଁ ସାରାବିଶ୍ୱ ଚିନ୍ତାରେ ଥିବାବେଳେ ଏହାକୁ ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ଏହି ଉପକାରାଗାରର କଏଦୀମାନଙ୍କ ପାଇଁ ସାମାଜିକ ଦୂରତା ପାଳନ କରିବା ସମସ୍ୟା ପାଲଟିଛି। ଯଦି ଜଣକୁ ସଂକ୍ରମଣ ହୁଏ ତେବେ ଏହାକୁ ରୋକିବା କଷ୍ଟକର ହୋଇପଡ଼ିବ। ତେଣୁ ସମସ୍ତଙ୍କର ନମୂନା ପରୀକ୍ଷା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋରଧରିଛି। ଯଦି କାହାକୁ କରୋନା ଲକ୍ଷଣ ଦେଖାଯାଏ, ତେବେ ତାଙ୍କର ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ କହିଥିବା ଉପକାରାଗାର ଅଧୀକ୍ଷକ ସଞ୍ଜୟ ବର୍ମା କହିଛନ୍ତି।