ଦେବଗଡ଼,ଏନ୍ଏନ୍ଏସ୍: ଗତକାଲି ରାତ୍ରିରେ ବର୍ଷା ହେବା ଫଳରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ସଦର ମହକୁମାରୁ ରାଉରକେଲାକୁ ସଂଯୋଗ କରୁଥିବା ୨୩ ନମ୍ବର ଜାତୀୟ ରାଜପଥର ମର୍ଡଙ୍ଗ ଓ କାଦୋପଡ଼ା ଗ୍ରାମ ମଧ୍ୟରେ ୪ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି। ଫଳରେ ଗତକାଲି ରାତ୍ରିରୁ ଉକ୍ତ ରସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏଥିସହ ବାରକୋଟ-ବଣାଇଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଏନ୍ଏଚ୍ଏଆଇ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ରଜାମୁଣ୍ଡାଠାରୁ ଦେବଗଡ଼ ଜିଲ୍ଲାର ବାରକୋଟ ପର୍ଯ୍ୟନ୍ତ ୨୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଏକ ଠିକା ସଂସ୍ଥା ଦ୍ୱାରା କରାଯାଉଅଛି। କିନ୍ତୁ ଏନଏଚଏଆଇର କୌଣସି କର୍ତ୍ତୃପକ୍ଷ ଏହି କାର୍ଯ୍ୟକୁ ତଦାରଖ କରୁନାହାନ୍ତି। ଫଳରେ ଠିକା ସଂସ୍ଥା ମନ ଇଚ୍ଛା କାର୍ଯ୍ୟ କରୁଥିବା ବେଳେ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ପାଣି ଜମିରହୁଛି। ତେଣୁ ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ସମାଧାନ କରିବାକୁ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।