କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର କାହ୍ନୁ ଚରଣ ମୁଣ୍ଡାଙ୍କ ଝିଅ ବର୍ଷା ମୁଣ୍ଡା(୯)ର ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ବର୍ଷା ଘରୁ ବାହାରକୁ ଶୌଚ ପାଇଁ ଯାଇଥିଲା। ମାତ୍ର ବିଳମ୍ବ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏଥିସହିତ ପରିବାର ଲୋକ ଝିଅର ସାଙ୍ଗମାନଙ୍କୁ ମଧ୍ୟ ପଚରା ଉଚୁରା କରିଥିଲେ।
ତେବେ ଝିଅଟି ଶୌଚ ପାଇଁ ପୋଖରୀକୁ ଯାଇଥିବା ଜାଣିବାକୁ ପାଇ ସେଠାରେ ଖୋଜାଖୋଜି କରିଥିଲେ ହେଁ କୌଣସି ଖବର ମିଳିନଥିଲା। ଫଳରେ ବାଧ୍ୟ ହୋଇ ଅଗ୍ନିଶମ ବିଭାଗକୁ ପରିବାର ଲୋକେ ଖବର ଦେଇଥିଲେ। ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଉକ୍ତ ପୋଖରୀ ନିକଟରେ ପହଞ୍ଚି ଖୋଜା ଖୋଜି କରି ନାବାଳିକାର ମୃତ ଦେହ ଉଦ୍ଧାର କରିଛି। ଏହି ଘଟଣାଟି ଜଣାପଡ଼ିବା ପରେ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଏନେଇ କେନ୍ଦୁଝର ସଦର ଥାନାରେ କେସ୍ ନଂ-୪୧ରେ ଏକ ମାମଲା ରୁଜୁ ହୋଇଛି।