କେନ୍ଦୁଝର ଜିଲ୍ଲାର ନବମ,ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ ଓ ୟୁନିଫର୍ମ

କେନ୍ଦୁଝର,ଏନ୍ଏନ୍ଏସ୍: ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ସରକାରୀ ଏବଂ ସହାୟତାପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଶାସନ ତରଫରୁ ମାଗଣାରେ ପାଠ୍ୟପୁସ୍ତକ ଏବଂ ୟୁନିଫର୍ମ ଯୋଗାଇ ଦେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲା ଖଣିଜ ପାଣ୍ଠିରୁ ଏଥିନିମନ୍ତେ ସମସ୍ତ ଅର୍ଥ ବ୍ୟୟ ହେବ। ୨୨ କୋଟି ଟଙ୍କାର ବ୍ୟୟବରାଦରେ ଜିଲ୍ଲାର ପାଖାପାଖି ୫୦ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ। ଗରିବ ଛାତ୍ରଛାତ୍ରୀମାନେ ଅଧାରୁ ପାଠ କିପରି ନଛାଡ଼ିବେ ତାହା ହେଉଛି ଏହି ଯୋଜନାର ମୂଳଲକ୍ଷ୍ୟ। ଏଥସହିତ ମହାମାରୀ ପରବର୍ତ୍ତୀ ସମୟରେ ସ୍କୁଲ ଖୋଲିବା ପରେ ନବମ ଓ ଦଶମ ଶ୍ରେଣୀ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏହାବ୍ୟତୀତ ବିଏସଇ ପରୀକ୍ଷାରେ ରଖିଥିବା ନମ୍ବର ଆଧରରେ ୧୦ ହଜାରରୁ ଆରମ୍ଭ କରି ୪୦ ହଜାର ଟଙ୍କା ପର୍ୟ୍ୟନ୍ତ ପ୍ରଦର୍ଶନଭିତ୍ତିକ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଏସମ୍ପର୍କରେ ମଙ୍ଗଳବାର ଆୟୋଜିତ କାର୍ୟ୍ୟକ୍ରମରେ ସୂଚନା ଦିଆଯାଇଛି । ଦରବାର ହଲଠାରେ ଆୟୋଜିତ କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ, ଡିଏମଏଫ ମୁଖ୍ୟ ନିର୍ବାହୀ ଅଧିକାରୀ ଡା. ଉଦ୍ଧବ ଚରଣ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାଶ, ଡିପିସି ପୂର୍ଣଚନ୍ଦ୍ର ସେଠୀ, ଡିଏମଫର ଏସପିଓ ଫରାହାନ ସେକଙ୍କ ସମେତ ଡିଏମଫର ଅନ୍ୟାନ୍ୟ ଅଧିକାରୀ, ପ୍ରଶାସନିକ ଅଧିକାରୀ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।