ହାତୀ ଭାଙ୍ଗିଲା ଘର: ଭଙ୍ଗା କାନ୍ଥପଡ଼ି ୨ଶିଶୁ ଆହତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ତିଲେଇବଣି ଫରେଷ୍ଟ ସେକ୍ସେନ ଅନ୍ତର୍ଗତ ଝରାଗୋଗୁଆ ଓ କାଶୋରଲଇ ଗ୍ରାମରେ ହାତୀ ପଶି ୪ଟି ଘର ଭାଙ୍ଗିବା ସହ ବହୁ ଆସବାବପତ୍ର ନଷ୍ଟ କରିଦେଇଛି। ସେହିପରି ହାତୀଟି ଘର ଭାଙ୍ଗୁଥିବା ସମୟରେ କାନ୍ଥ ପଡ଼ି ୨ଜଣ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ରାତ୍ରୀରେ ଲଇମୁରା ଫରେଷ୍ଟ ସେକ୍ସନ ଅଞ୍ଚଳରୁ ଏକ ଦନ୍ତାହାତୀ ତିଲେଇବଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଝରାଗୋଗୁଆ ବିଟ ଅଞ୍ଚଳରେ ପଶି ଝରାଗୋଗୁଆ ଗ୍ରାମର ରବି କିସାନଙ୍କ ଘର ଭାଙ୍ଗିଦେବା ସହ ବହୁ ଆସବାବପତ୍ର ମାଡ଼ିଦଳି ନଷ୍ଟ କରିଥିଲା। ଏଥିସହିତ ଉକ୍ତ ବିଟ ଅଞ୍ଚଳର କାଶୋରଲଇ ଗ୍ରାମରେ ପଶି ଯୋଗେଶ୍ୱର ମୁଣ୍ଡା, ନୃପତି ଝାଙ୍କର ଓ ଗୋପାଳ କିସାନଙ୍କର ଘର ଭାଙ୍ଗିବା ସହ ଧାନ, ଚାଉଳ ଓ ଫଳ ଇତ୍ୟାଦି ଖାଇ ଦେଇଥିଲା। ଏହି ସମୟରେ ଭୟରେ ଘରୁ ବାହାରକୁ ବାହାରିନପାରି ଜୀବନ ବିକଳରେ ଘର ମଧ୍ୟରେ ଲୁଚି ରହିଥିବା ଯୋଗେଶ୍ୱର ମୁଣ୍ଡାଙ୍କ ପୁଅ ସୁବାସ ମୁଣ୍ଡା ଓ ଝିଅ ସଉକିନୀ ମୁଣ୍ଡାଙ୍କ ଉପରେ ଘରର ଭଙ୍ଗା କାନ୍ଥ ପଡ଼ିବାରୁ ସେମାନେ ଆହତ ହୋଇଥିଲେ। ପରେ ହାତୀଟି ଲଇମୁରା ଅଞ୍ଚଳକୁ ଫେରିଯାଇଥିବା ଜଣାପଡ଼ିଛି। ସୂଚନାପାଇ ତିଲେଇବଣି ଫରେଷ୍ଟର ସୁଧାଂଶୁ ବେହେରା ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିବା ସହ ଆହତ ସୁବାସ ଓ ସଉକିନୀଙ୍କୁ ତିଲେଇବଣି ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିବା ଜଣାପଡ଼ିଛି। ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବନ ବିଭାଗ ପକ୍ଷରୁ ସେମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ସମ୍ପୃକ୍ତ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି।