କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ଆଉ ୪୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮ରେ ପହଞ୍ଚିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୯ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୨୦ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୨ଜଣ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ କୋରାପୁଟ ପୌରାଞ୍ଚଳର ୩, କୋରାପୁଟ ବ୍ଲକ ଦାମନଯୋଡ଼ିରୁ ୩, ଜୟପୁର ପୌରାଞ୍ଚଳରୁ ୧୦, ଲକ୍ଷ୍ମୀପୁରରୁ ୨୦, ଜୟପୁର ବ୍ଲକରୁ ୩, ବୈପାରିଗୁଡ଼ା ବ୍ଲକ୍ ରାମଗିରି ଓ ବୋରିଗୁମ୍ମାରୁ ଜଣେ ଲେଖାଏଁ ରହିଛନ୍ତି। ଏଥିସହିତ ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ରହିଥିବା ସୂଚନା ମିଳିଛି।
ଅନ୍ୟପଟେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ ଜନସାଧାରଣଙ୍କ ସୁରକ୍ଷା ଓ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ କୋରାପୁଟ, ଜୟପୁର, ସୁନାବେଡ଼ା ପୌରାଞ୍ଚଳ, କୋଟପାଡ଼ ଏନଏସି ସମେତ କୋରାପୁଟ ବ୍ଲକର ମାଥାଲପୁଟ, ସେମିଲିଗୁଡ଼ା ବ୍ଲକର ଚାରାଂଗୁଲ୍ ଓ ବୋରିଗୁମ୍ମା, ପଟ୍ଟାଙ୍ଗି, ଲକ୍ଷ୍ମୀପୁର ପଞ୍ଚାୟତ ସଦର ମହକୁମାରେ ସୋମବାର ମଧ୍ୟରାତ୍ରୀରୁ ୨୭ ତାରିଖ ମଧ୍ୟରାତ୍ରୀ ଯାଏ ଜିଲ୍ଲାପାଳ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ଘୋଷିତ ଅଞ୍ଚଳରେ ରାଜ୍ୟ ସରକାର ଜାରି କରିଥିବା ସମସ୍ତ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଯୋଗାଉଥିବା ପ୍ରତିଷ୍ଠାନ ସକାଳ ୭ରୁ ଅପରାହ୍ନ୍ନ ୧ଟା ଯାଏ ଖୋଲା ରହିବ। ଔଷଧ ଦୋକାନ, ଆମ୍ବୁଲାନ୍ସ, ଜରୁରୀକାଳୀନ ସେବା ଯୋଗାଉଥିବା ଗାଡ଼ି ଚଳାଚଳ କରିବାକୁ ଅନୁମତି ଦିଆଯାଇଛି। ବ୍ୟାଙ୍କ ସେବା ସକାଳ ୮ଟାରୁ ଦିନ ୧ଟା ଯାଏ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଜନସାଧାରଣ କୋଭିଡ-୧୯ ନିୟମ ମାନି ଜିଲ୍ଲା ପ୍ରଶାସନକୁ ସହାୟତା କରିବା ସହ ଏହି ସମୟରେ କିମ୍ବା ଅନାବଶ୍ୟକ ସ୍ଥଳେ ବାହାରେ ନବୁଲିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।