ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗଡ଼ା ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲାରେ ଏକ କୋଲ ବିଅରିଙ୍ଗ ଏକ୍ଟ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରାଯାଇଛି। ଏନେଇ ସଂଘ ପକ୍ଷରୁ ଆଜି କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓକିଲ ସଂଘ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ା ଜିଲ୍ଲା ତଥା ପଡ଼ୋଶୀ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଅନେକ କୋଇଲା ଖଣି ରହିଛି। ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ ଦ୍ୱାରା ପରିଚାଳିିତ ଏହି କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ତଥା ପ୍ରଭାବିତ ଲୋକଙ୍କ ମାମଲା କୋଲ ବିଅରିଙ୍ଗ ଏକ୍ଟ ଟ୍ରିବ୍ୟୁନାଲ ପକ୍ଷରୁ ଶୁଣାଣି କରାଯାଏ। ହେଲେ ଏହି ଟ୍ରିବ୍ୟୁନାଲ ବର୍ତ୍ତମାନ ଢେଙ୍କାନାଳରେ ଥିବାରୁ ଝାରସୁଗୁଡ଼ା ତଥା ଏହାର ଆଖପାଖ ଜିଲ୍ଲାର ପ୍ରଭାବିତ ଲୋକ ତଥା ଓକିଲମାନଙ୍କୁ ଶୁଣାଣି ପାଇଁ ପ୍ରାୟ ୩ଶହ କିଲୋମିଟର ଯାତାୟାତ କରିବାକୁ ପଡୁଛି। ଏହାସହ ଟ୍ରିବ୍ୟୁନାଲ ଯୋଗୁ ଝାରସୁଗୁଡ଼ା ଏବଂ ଆଖପାଖ ଜିଲ୍ଲାର ଅନେକ ମାମଲା ସ୍ଥଗିତ ରହିଛି। ତେଣୁ ଏହି ମାମଲାଗୁଡ଼ିକର ଯଥାଶୀଘ୍ର ଶୁଣାଣି ଓ ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଝାରସୁଗୁଡ଼ାରେ ଏକ କୋଲ ବିଅରିଙ୍ଗ ଏକ୍ଟ ଟ୍ରିବ୍ୟୁନାଲ ଗଠନ କରାଯାଉ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି।