କ୍ୱାରେଣ୍ଟାଇନ ସେଣ୍ଟରରେ ମହିଳାଙ୍କ ମୃତ୍ୟୁ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ରଘୁନାଥପାଲି ଗ୍ରାମର ଅସ୍ଥାୟୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ଆଜି ଭୋରରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୂର୍ବରୁ ତାଙ୍କଠାରେ ଉଚ୍ଚ ରକ୍ତଚାପ ଓ ସିଓପିଡି ପରି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦୀଶ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ମୃତକ ଜଣକ ରଘୁନାଥପାଲି ଗ୍ରାମର ଜଣେ ୭୦ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷୟତ୍ରୀ। ଭୁବନେଶ୍ୱରରୁ ଫେରିଥିବା ତାଙ୍କର ଜଣେ ପୁତୁରା କରୋନା ପଜିଟିଭ ଚିହ୍ନଟ ହେବାପରେ ମହିଳା ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଗତ ୧୨ ତାରିଖରୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ଆଜି ଶୋଇଥିବା ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ କୋଲାବିରା ବିଡିଓ, ତହସିଲଦାର, ଥାନାଧିକାରୀ ତଥା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ସହମତିକ୍ରମେ ରଘୁନାଥପାଲି ଶ୍ମସାନଘାଟରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ତେବେ ମହିଳାଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା ନା ନାହିଁ ସେବିଷୟରେ ଜିଲ୍ଲା ପ୍ରାଶସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରଦାନ କରିନାହିଁ।