ପୁଣି ସୁରଟ ମୁହାଁ ହେଲେଣି ଶ୍ରମିକ

ଝାରସୁଗୁଡା,ଏନ୍ଏନ୍ଏସ୍: ଲକଡାଉନ ସମୟରେ କାମଧନ୍ଦା ହରାଇ ସୁରଟରୁ ନିଜ ଘରକୁ ଫେରି ଆସିଥିବା ଶ୍ରମିକମାନେ ପୁଣି ସୁରଟ ମୁହାଁ ହେଲେଣି। କିଛିଦିନ ପୂର୍ବରୁ ଗଞ୍ଜାମକୁ ଫେରିଥିବା ୨୭ ଜଣ ଶ୍ରମିକ ଆଜି ଝାରସୁଗୁଡାରୁ ଅହମ୍ମଦାବାଦ ଟ୍ରେନ ଯୋଗେ ପୁଣି ସୁରଟକୁ କାମ କରିବା ପାଇଁ ଯାଇଛନ୍ତି। ସେମାନେ କହିଛନ୍ତି ସୁରଟରୁ ଫେରିବା ପରେ ତାଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି। ଗଞ୍ଜାମ ଜିଲ୍ଲାରେ ସେମାନଙ୍କୁ କାମ ମିଳୁନଥିବାବେଳେ ପାଖରେ ଥିବା ଟଙ୍କା ମଧ୍ୟ ଶେଷ ହୋଇଯାଇଛି। ଫଳରେ ପରିବାର ପ୍ରତିପୋଷଣରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ପୂର୍ବରୁ ସେମାନେ ସୁରଟରେ କାମ କରୁଥିବା ସଂସ୍ଥା ତାଙ୍କୁ ଆଗୁଆ ଟଙ୍କା ପଠାଇ କାମରେ ଯୋଗଦେବା ପାଇଁ ଅନୁରୋଧ କରିଥିବାରୁ ସେମାନେ ପୁଣି କାମ କରିବା ପାଇଁ ଯାଉଥିବା କହିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ଶୁକ୍ରବାର ରାତିରେ ଗଞ୍ଜାମର ଶେରଗଡ଼ ବ୍ଲକରୁ ଏକ ବସ ଭଡାକରି ୨୭ ଜଣ ଶ୍ରମିକ ଝାରସୁଗୁଡ଼ା ଆସିଥିଲେ। ସେମାନେ ଡାକବଙ୍ଗଳା ସମ୍ମୁଖରେ ଓହ୍ଲାଇ ରେଳ ଷ୍ଟେସନକୁ ଯାଉଥିବା ସମୟରେ ଉପଜିଲ୍ଲାପାଳ ଶିବ ଟପ୍ପୋ ସେମାନଙ୍କୁ ଦେଖି ପୁଲିସ ଓ କୋଭିଡ୍ ମାଜିଷ୍ଟ୍ରେଟ୍‌ଙ୍କୁ ସୂଚନା ଦେଇଥିଲେ। କୋଭିଡ୍ ମାଜିଷ୍ଟ୍ରେଟ୍ ଗୋଲକ ବିହାରୀ ମଙ୍ଗରାଜ, ଆଇଆଇସି ସାବିତ୍ରୀ ବଳ ପହଞ୍ଚି ସେମାନଙ୍କୁ ରେଳ ଷ୍ଟେସନରେ ନେଇ ଛାଡ଼ିଥିଲେ। ପ୍ରଶାସନ ପକ୍ଷରୁ ଶ୍ରମିକମାନଙ୍କୁ ରେଳ ଷ୍ଟେସନରେ ବିସ୍କୁଟ, ପାଣି ପ୍ରଦାନ କରାଯାଇଥିଲା। ଆଜି ସକାଳେ ସେମାନେ ହାୱଡା-ଅହମ୍ମଦାବାଦ ଟ୍ରେନରେ ସୁରଟ ଯାତ୍ରା କରିଛନ୍ତି।