ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଖଜୁରିଡିହା ସଂଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା କପୁଣ୍ଡି ଗ୍ରାମର ବେଙ୍ଗାଲୁରୁ ଫେରନ୍ତା ପରିବାର ଅଭିଯୋଗ ଆଣିଛନ୍ତି। ସଂଗରୋଧ କେନ୍ଦ୍ରରେ ବାସି ଖାଦ୍ୟ ଦିଆଯିବା ସହିତ ବିଦ୍ୟୁତ ସେବା ମିଳୁନଥିବା ଅଭିଯୋଗ ହୋଇଛି। ଏଥି ସହିତ ସଂଗରୋଧ କେନ୍ଦ୍ରରେ ସାପ ବାହାରୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। କପୁଣ୍ଡି ଗ୍ରାମର ଏହି ପରିବାର ଗତ ୧୦ ତାରିଖରୁ ବେଙ୍ଗାଲୁରୁରୁ ଆସି କ୍ଲଷ୍ଟର ସଂଗରୋଧ କେନ୍ଦ୍ର ତଥା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଏମଜିଏମ ହାଇସ୍କୁଲ ଖଜୁରିଡିହା ଠାରେ ରହିଥିଲେ। ଏଥି ସହିତ ସେମାନେ ଆଣିଥିବା ସାମଗ୍ରୀକୁ ସାନିଟାଇଜ କରି ଘରକୁ ନେବା ପାଇଁ ଦେଉନଥିବା ଅଭିଯୋଗ କରିଛନ୍ତି। ଏନେଇ ସରପଞ୍ଚ ଏବଂ ନୋଡାଲ ଅଫିସରଙ୍କୁ ଅଭିଯୋଗ କଲେ ଉଭୟ ସରପଞ୍ଚ ଏବଂ ନୋଡାଲ ଅଫିସର ବିଡ଼ିଓଙ୍କୁ ଅଭିଯୋଗ କର ବୋଲି କହୁଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ସାହାରପଡା ବିଡ଼ିଓ ଭାଗୀରଥି ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଫୋନ କାଟିଦେଇଥିଲେ। ଅନ୍ୟପଟେ ସଂଗରୋଧ କେନ୍ଦ୍ରର ନୋଡାଲ ଅଫିସର ଭାବେ ଦାୟିତ୍ୱରେ ଥିବା ଜେଇ ଲୋକନାଥ ସାହୁଙ୍କ ମତାମତ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ ଅଫ ଥିବାରୁ ଯୋଗାଯୋଗ ହୋଇପାରିନାହିଁ। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କରୋନା ମୁକାବିଲା କରୁଥିବାବେଳେ ସରକାରୀ ବାବୁମାନଙ୍କ ଦାୟିତ୍ୱ ହୀନତା ପାଇଁ ସଂଗରୋଧ କେନ୍ଦ୍ରରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଦାୟିତ୍ୱରେ ଅବହେଳା କରୁଥିବାରୁ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।