ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ବୁର୍ଦ୍ଦା ଗ୍ରାମରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ବୁର୍ଦ୍ଦା ଗ୍ରାମର ଲିଙ୍ଗରାଜ ନାଏକଙ୍କ ପୁଅ ଜିତୁ ନାଏକ(୨୩)। ଶନିବାର ଭୋରରୁ ଜିତୁ ଘରୁ ବାହାରକୁ ଯାଇଥିବା ବେଳେ ବିଳମ୍ବ ପର୍ଯ୍ୟନ୍ତ ସେ ଫେରି ନଥିଲା। ଏନେଇ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଗାଁ ମୁଣ୍ଡରେ ଥିବା ନିଜ ଖଳାରେ ଜିତୁର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ। ତେବେ ଜିତୁର ଗଳା କଟାଯାଇ ହତ୍ୟା କରାଯାଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ପରିବାର ଲୋକେ ଭେଡେନ ପୁଲିସକୁ ଖବର ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି। ସେହିପରି ମୃତ ଜିତୁର ବଡ଼ ବାପା ଜଗନ୍ନାଥ ନାୟକଙ୍କ ଅଭିଯୋଗ କ୍ରମେ ଭେଡେନ ପୁଲିସ କେସ ନମ୍ବର ୧୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।