ରାୟଗଡ଼ା,ଏନ୍ଏନ୍ଏସ୍: ଦୁର୍ଘଟଣାରେ ଦୁଷ୍କର୍ମ ଅଭିଯୁକ୍ତ ସନ୍ତୋଷ ପଣ୍ଡୁ ମୃତ୍ୟୁ ଘଟଣାର ଆରମ୍ଭ ହୋଇଛି ବିଚାର ବିଭାଗୀୟ ତଦନ୍ତ। ଏନେଇ ରାୟଗଡ଼ା ଏସଡିଜେଏମ୍ ରାଜେନ୍ଦ୍ର କୁମାର ଦାଶ ଘଟଣାସ୍ଥଳ ପରିଦର୍ଶନ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ୧୩ ତାରିଖରେ କୋର୍ଟ ଚାଲାଣ ପୂର୍ବରୁ ଥାନାରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ସମୟରେ କଣ୍ଟେନର ଚକା ତଳେ ପଡ଼ି ଅଭିଯୁକ୍ତ ସନ୍ତୋଷର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣାର ୪୮ ଘଣ୍ଟା ପରେ ୧୫ ତାରିଖ ସନ୍ଧ୍ୟାରେ ଏସପି ଶର୍ବଣା ବିବେକ ଏମ୍ ଜାତୀୟ ମାନବାଧିକାର କମିଶନ୍ (ଏନ୍ଏଚଆରସି), ରାଜ୍ୟ ପୁଲିସ୍ ମହାନିର୍ଦେଶକ, ଏଡିଜି କ୍ରାଇମ୍ ଓ ଜିଲ୍ଲା ଜଜକୁ ରିପୋର୍ଟ ପ୍ରଦାନ କରିଥିଲେ। ସେପଟେ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଏସଡିଜେଏମ୍ ରାଜେନ୍ଦ୍ର କୁମାର ଦାଶ ଆଜି ଦିନ ୧୧ ଟାରେ ରାୟଗଡ଼ା ଥାନାରେ ପହଞ୍ଚି କେଉଁ ପରିସ୍ଥିତିରେ ଅଭିଯୁକ୍ତ ଫେରାର ହେଲା ସେ ନେଇ ଟିକିନିଖି ତଦନ୍ତ କରିଥିଲେ। ଥାନା ସମ୍ମୁଖରେ ଥିବା ଦୁର୍ଘଟଣାଗ୍ରସ୍ତ କଣ୍ଟେନରକୁ ମଧ୍ୟ ଅନୁଧ୍ୟାନ କରିଥିଲେ। ସେହିପରି ଏସଡିଜେଏମ ତଦନ୍ତ ସମୟରେ ଘଟଣାର ପ୍ରାଥମିକ ତଦନ୍ତ କରୁଥିବା ଡିଏସପି ବଟ ମିଶ୍ର, ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥ, ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ସହ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ। ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ସନ୍ତୋଷକୁ ଜଗିଥିବା ୨ କନଷ୍ଟେବଳ ସନ୍ତୋଷ ଶବର, ଆରଏନ ଶବରକୁ ଏସପି ନିଲମ୍ବିତ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଟିକିରି ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀକୁ ପ୍ରେମ, ପ୍ରତାରଣା ଅଭିଯୋଗରେ ୧୨ ତାରିଖ ରାତିରେ ଟିକିରି ପୁଲିସ୍ ସନ୍ତୋଷକୁ ବିଷମକଟକରୁ ଗିରଫ କରିଥିଲା। ୧୩ ତାରିଖ ପୂର୍ବାହ୍ଣରେ ପୀଡ଼ିତା ଛାତ୍ରୀ ଓ ସନ୍ତୋଷର ରାୟଗଡ଼ା ମେଡ଼ିକାଲରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ ପାଇଁ ସନ୍ତୋଷଙ୍କୁ ରାୟଗଡ଼ା ଥାନାରେ ରଖାଯାଇଥିଲା। ନିଜ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଜାଣି ସନ୍ତୋଷ ପୁଲିସ୍ କବଳରୁ ଫେରାର ହେବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କଣ୍ଟେନର ସହ ସନ୍ତୋଷ ପିଟି ହୋଇ ଚକା ତଳେ ପଡ଼ି ଯାଇଥିଲା। ସେଠାରୁ ଗୁରୁତର ଅବସ୍ଥାରେ ସନ୍ତୋଷକୁ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।