ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୧୦ ଗ୍ରାମର ୨ଟି ପରିବାର ମଧ୍ୟରେ ଜମି ମାଲିକାନାକୁ ନେଇ ବିବାଦ ଦେଖାଦେଇଥିବାବେଳେ ଜଣେ ବିଧବା ମହିଳା ଓ ତାଙ୍କ ପରିବାର ବର୍ଗଙ୍କୁ ଅପରପକ୍ଷ ଲୋକେ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଭିଡ଼ିଓ ଭାଇରାଲ ହୋଇଛି। ଏମପିଭି-୧୦ ଗ୍ରାମର ବିଧବା ମହିଳା ସେଫାଳି ବିଶ୍ୱାସ ଓ ଉକ୍ତ ଗ୍ରାମର ବିଜନ ମଜୁମଦାର ଉଭୟେ ଏକ ଜମିକୁ ନେଇ ନିଜର ମାଲିକାନା ଦାବି କରୁଛନ୍ତି। ସେହିପରି ଏହି ଜମିର ପଟ୍ଟା ସେଫାଳିଙ୍କ ନିକଟରେ ଥିବା ଜଣାପଡ଼ିଛି।
ତେବେ ଜମିକୁ ନେଇ ଉଭୟ ପକ୍ଷରେ କଥା କଟାକଟି ହୋଇଥିଲା। ପରେ ବିଜନ ଏବଂ ତାଙ୍କ ଭାଇମାନେ ମିଶି ସେଫାଳିଙ୍କ ପରିବାରକୁ ଜମିରେ ଗୋଡାଇ ଗୋଡାଇ ପିଟିବା ସହ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ସେଫାଳିଙ୍କ ପରିବାର ତରଫରୁ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ କେସ୍ ନମ୍ବର ୮୮ରେ ମାମଲା ରୁଜୁ କରି ତହସିଲଦାରଙ୍କୁ ଅବଗତ କରାଯାଇଥିବା କାଲିମେଳା ଥାନା ଏସଆଇ ତଥା ଭାରପ୍ରାପ୍ତ ନିରୀକ୍ଷକ ସରୋଜ କୁମାର ଝଙ୍କାର ପ୍ରକାଶ କରିଛନ୍ତି।