ମହଙ୍ଗା ପଡ଼ିଲା କୋଭିଡ୍ ହସ୍ପିଟାଲରେ ନାଚ, ନାଲକୋ କର୍ମଚାରୀ ନିଲମ୍ବିତ

କୋରାପୁଟ,ଏନ୍ଏନ୍ଏସ୍: ଜୟପୁର କୋଭିଡ ହସ୍ପିଟାଲରେ ନାଚିବା ଜଣେ କରୋନା ଆକ୍ରାନ୍ତଙ୍କୁ ମହଙ୍ଗା ପଡ଼ିଛି। ହସ୍ପିଟାଲ ପରିସରରେ କୋଭିଡ୍ ନିୟମ ସାଙ୍ଗକୁ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଆକ୍ରାନ୍ତ ଜଣଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ନାଲକୋ ମାଇନ୍ସରେ କାର୍ଯ୍ୟରତ ଦାମନଯୋଡ଼ି ଟାଉନସିପ୍ ସେକ୍ଟର ୩-ବି-୩ କ୍ୱାର୍ଟରରେ ରହୁଥିବା ବ୍ୟକ୍ତି କିଛି ଦିନ ପୂର୍ବେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ସମ୍ପୃକ୍ତ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଚଳିତ ମାସ ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଜୟପୁର କୋଭିଡ୍ ହସ୍ପିଟାଲରେ ରଖାଯାଇଥିଲା। ହସ୍ପିଟାଲରେ ରହଣୀ ସମୟରେ ସେ ଅନ୍ୟ କେତେକ ରୋଗୀଙ୍କ ସହ ମିଶି ମୋବାଇଲରେ ଗୀତ ବଜାଇ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ କର୍ମଚାରୀଙ୍କୁ ନାଲକୋ କର୍ତୃପକ୍ଷ ଚାକିରିରୁ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ସେ ସକାଳ ୮ଟା ୩୦ ସୁଦ୍ଧା ମାଇନ୍ସ ମୁଖ୍ୟ ଫାଟକର ସିଆଇଏସଏଫ୍ ଅଧିକାରୀଙ୍କ ନିକଟରେ ଦସ୍ତଖତ କରିବା ସହ ପରିଚୟ ପତ୍ର, ପଞ୍ଚକାର୍ଡ ଦାଖଲ କରିବା ଓ ବିନା ଅନୁମତିରେ ହେଡ କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।