ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଉ ୫୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬ କୁ ବୃଦ୍ଧି ପାଇଛି। ୧୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୩୮ଜଣ ଚିକିତ୍ସାଧୀନ ଅଛନ୍ତି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଓ ବାଲିମେଳା ଏନଏସିରୁ ୨୧ଜଣ ଲେଖାଏଁ ରହିଥିବାବେଳେ ଖଇରପୁଟ ବ୍ଲକର ୬ ଜଣ, ମାଲକାନଗିରି ବ୍ଲକର ୩ଜଣ, ମାଥିଲି ବ୍ଲକର ୨ଜଣ ଓ କାଲିମେଳାରୁ ଜଣେ ରହିଛନ୍ତି।
ଲକାନଗିରି ପୌର ପରିଷଦ ଓ ବାଲିମେଳା ଏନଏସିରେ ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତ୍ରି ୮ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଗ୍ରୋସରୀ ଦୋକାନ, ଔଷଧ ଓ ପନିପରିବା ହୋମ ଡେଲିଭରୀ ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଅବଗତ କରାଯାଇଛି। ଏହି ସମୟରେ ମୋଟର ସାଇକେଲ, ରିକ୍ସା, ଅଟୋ ଓ ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ତେବେ ଜରୁରୀକାଳୀନ ସେବା, ଚିକିତ୍ସା ଓ ସରକାରୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ମୋଟର ସାଇକେଲରେ ଯିବାକୁ ଅନୁମତି ପ୍ରଦାନ କରାଯାଇଛି। ହୋମ ଡେଲିଭରୀ ପାଇଁ ପ୍ରତ୍ୟେକ ସାହି, ୱାର୍ଡ ଓ ମହଲାରେ ସ୍ୱେଚ୍ଛାସେବୀ କମିଟି ଗଠନ କରାଯାଇ ଉକ୍ତ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। କୌଣସି ବ୍ୟକ୍ତି କଣ୍ଟେନମେଣ୍ଟ ଜୋନରୁ ବାହାରକୁ ଯିବା କିମ୍ବା ବାହାର ବ୍ୟକ୍ତି ଜୋନ ଭିତରକୁ ଆସିବା ଉପରେ ମଧ୍ୟ କଟକଣା ଜାରୀ କରାଯାଇଛି। ଏହି ସବୁ ନିୟମକୁ ଖିଲାପ କଲେ ଜରିମାନା ଆଦାୟ ସହ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି।