କୋରପୁଟରୁ ୨୭ କରୋନା ପଜିଟିଭ୍ ଚିହ୍ନଟ: ପୁଲିସ୍, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସାମିଲ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ୨୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁଲିସ୍, ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗ କର୍ମଚାରୀ ରହିଥିବା ଜଣାପଡ଼ିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୮ରେ ପହଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ଜଣେ, ହୋମ୍ କ୍ୱାରେଣ୍ଟାଇନରୁ ୬ଜଣ ଓ ୨୦ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ବନ୍ଧୁଗାଁ ବ୍ଲକ୍ ଯାନୀଗୁଡ଼ା ଟିଏମସିର ଜଣେ ବ୍ୟକ୍ତି ରହିଥିବାବେଳେ କୋରାପୁଟ ପୌରାଞ୍ଚଳରୁ ୧୬, ଜୟପୁର ପୌରାଞ୍ଚଳରୁ ୪, ଜୟପୁର ବ୍ଲକରୁ ୩ ଓ ବୋରିଗୁମ୍ମା ବ୍ଲକରୁ ୩ଜଣ ରହିଛନ୍ତି। କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବ୍ରହ୍ମପୁର, କେଉଁଝର, ଗୁଣୁପୁର, ବାଙ୍ଗାଲୁରୁ ଫେରନ୍ତା ବୋଲି ଜଣାପଡ଼ିଛି। କୋରାପୁଟ ପୌରାଞ୍ଚଳରୁ ଚିହ୍ନଟଙ୍କ ମଧ୍ୟରେ କଂଣ୍ଟେନମେଣ୍ଟ ଜୋନ୍ ଥିବା ପୁରୁଣା କୋରାପୁଟରୁ ୨, ଡିଏନକେ କଲୋନୀର ୩, ଟିକିରା ସାହି ଓ ବିଶ୍ୱାଳ କଲୋନୀର ଜଣେ ଲେଖାଏଁ ରହିଛନ୍ତି। ସେହିପରି ଏଲଆଇସି କଲୋନୀ, ପୁଲିସ୍ କ୍ଲବ୍, ନିଶାଣୀମୁଣ୍ଡା, ଅମୀନ କଲୋନୀ ଓ ସିଂହ କଲୋନୀ ଅଞ୍ଚଳର ଜଣେ ଲେଖାଏଁ ପୁଲିସ୍ କର୍ମଚାରୀ, ଅରବିନ୍ଦ ଭବନ ଓ ପୁଜାରୀପୁଟର ଜଣେ ଲେଖାଏଁ ଅଗ୍ନୀଶମ ବିଭାଗ କର୍ମର୍ଚାରୀ ରହିଥିବା ସୂଚନା ମିଳିଛି। ଜୟପୁର ପୌରାଞ୍ଚଳର ଆକ୍ରାନ୍ତଙ୍କ ମଧ୍ୟରେ ବାଲିପେଟ୍ଟା ସାହି ଓ ଜୟନଗର ଅଞ୍ଚଳର ଜଣେ ଲେଖାଏଁ, ପାରାବେଡ଼ାର ୨ ଜଣ, ଜୟପୁର ବ୍ଲକ୍ ଉମୁରୀ, ବାରିଣୀପୁଟ ଓ ବାଙ୍ଗର ଗ୍ରାମର ୩ଜଣ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୋରିଗୁମ୍ମା ବ୍ଲକ୍ ଗୁମୁଡ଼ା ଗ୍ରାମର ତିନିଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଅଗ୍ନିଶମ ବିଭାଗ କର୍ମର୍ଚାରୀ ଓ ଜଣେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବୋଲି ଜଣାପଡ଼ିଛି। ସମସ୍ତ କ୍ୱାରେଣ୍ଟାଇନ୍ ସହ ଅନ୍ୟ ଚିହ୍ନଟମାନଙ୍କ ଘର ନିକଟରୁ ୧୦୦ ମିଟର ପରିଧି ଭିତରେ ଆଜି ସଂନ୍ଧ୍ୟା ୬ଟାରୁ ଜୁଲାଇ ୨୨ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୫ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।