ଦେବଗଡ଼,ଏନ୍ଏନ୍ଏସ୍: ପ୍ରଧାନପାଟ ଜଳ ପ୍ରପାତର ପ୍ରଥମ କୁଣ୍ଡରେ ଖସି ପଡି ଜଣେ ଫାର୍ମାସୀ ଛାତ୍ରର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ପୌରାଞ୍ଚଳ ମଠସାହିର ବାସିନ୍ଦା ସ୍ୱର୍ଗତ କ୍ରୀଷ୍ଣା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ ୟୁପିର ଆହ୍ଲାବାଦର ଏସଏଚୟୁଏଟିଏସରେ ପ୍ରଥମ ବର୍ଷ ବି ଫାର୍ମା ଛାତ୍ର ଥିଲେ। କରୋନା ଜନିତ ଲକଡାଉନ ଯୋଗୁଁ ଶୁଭମ ଦେବଗଡ଼ ସ୍ଥିତ ନିଜ ଘରକୁ ଫେରିଥିଲେ।
ଗତକାଲି ସକାଳୁ ଶୁଭମ ଘରୁ ବାହାରକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଶୁଭମ ଘରକୁ ନ ଫେରିବାରୁ ପରିବାର ଲୋକେ ଶୁଭମକୁ ଫୋନ କରିବାକୁ ଚେଷ୍ଟା କରିଥିଲେ ହେଁ ଫୋନ ସୁଇଚଅଫ ଥିଲା। ସନ୍ଧ୍ୟ ପର୍ଯ୍ୟନ୍ତ ଶୁଭମ ଘରକୁ ନ ଫେରିବାରୁ ପରିବାର ଲୋକେ ଦେବଗଡ଼ ଥାନାରେ ନିଖୋଜ ରିପୋର୍ଟ ଦେବାସହ ତାଙ୍କ ସମ୍ପର୍କରେ ତାଙ୍କ ସାଙ୍ଗ ସାଥୀଙ୍କୁ ଯୋଗାଯୋଗ କରିଥିଲେ। ଆଦିତ୍ୟ ନାମକ ଜଣେ ବନ୍ଧୁ ଶୁଭମଙ୍କ ସହ ଗତକାଲି ସକାଳେ କଥାବାର୍ତ୍ତା ହୋଇଥିଲେ। ଘରୁ ପ୍ରଧାନପାଟ ଝରଣା ଉପରକୁ ବୁଲିବାକୁ ଯାଇଥିବାବେଳେ ଝରଣାର ପ୍ରଥମ କୁଣ୍ଡ ନିକଟରୁ ବିଭିନ୍ନ ଫଟୋ ଉଠାଇ ଆଦିତ୍ୟଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଥିଲା। ପରେ ଶୁଭମ ପ୍ରଧାନପାଟ ଝରଣା ଯାଇଥିବା ଆଶଙ୍କା କରି ଆଜି ସକାଳେ ପରିବାର ଲୋକେ ଝରଣାର ଉପରେ ଥିବା କୁଣ୍ଡ ନିକଟରେ ଖୋଜାଖୋଜି କରିଥିଲେ।
ଏହି ସମୟରେ ଶୁଭମର ଚପଲ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବା ପରେ ଗଭୀର କୁଣ୍ଡ ମଧ୍ୟରୁ ଶଭୁମଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ଶୁଭମଙ୍କ ମୋବାଇଲ ଫୋନ ତାଙ୍କ ପକେଟରେ ଥିବାବେଳେ ଚଷମା ହାତ ମୁଠାରେ ଧରିଥିବା ଦେଖିବାକୁ ମିଳିଥିଲା। ଦେବଗଡ଼ ଥାନା ପୁଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ଶୁଭମଙ୍କ ଗୋଡ ଖସି ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି।