ନୂଆଦିଲ୍ଲୀ,ଏଜେନ୍ସି : ସ୍ଥିତି ଭଲ ଆଡକୁ ଗତି କଲେ ମାର୍ଚ୍ଚ ୨୦୨୧ ଶେଷ ସୁଦ୍ଧା ଭାରତରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ଅନ୍ୟୁନ ୩୭.୪ ଲକ୍ଷରେ ରହିବ, କିନ୍ତୁ ସ୍ଥିତି ମନ୍ଦ ହେଲେ ଏହି ସମୟ ମଧ୍ୟରେ ସଂକ୍ରମଣ ସଂଖ୍ୟା ୬.୧୮ କୋଟି ହୋଇପାରେ ବୋଲି ‘ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ’ (ଆଇଆଇଏସସି) କରିଥିବା ଅଧ୍ୟୟନରୁ ଜଣାପଡିଛି। ମାର୍ଚ୍ଚ ୨୩ରୁ ଜୁନ୍ ୧୮ ତାରିଖ ମଧ୍ୟରେ ଦେଶରେ ଚାଲିଥିବା କୋଭିଡ୍-୧୯ ଧାରାକୁ ଆଧାର କରି ‘ଆଇଆଇଏସସି’ ଏହି ଗାଣିତିକ ମଡେଲ ପ୍ରସ୍ତୁତ କରିଛି। କିନ୍ତୁ ଦେଶର ସାମ୍ପ୍ରତିକ କୋଭିଡ୍-୧୯ ପରିସ୍ଥିତିକୁ ଚାହିଁ ହିସାବ କଲେ ଏହି ଆକଳନ ଭିନ୍ନ ହୋଇପାରେ। ‘ଆଇଆଇଏସ୍ସି’ ପ୍ରସ୍ତୁତ କରିଥିବା ‘ଓର୍ସ ସିନେରିଓ ପ୍ରୋଜେକ୍ସନ’ ଅନୁସାରେ, ୨୦୨୧ ସୁଦ୍ଧା ଭାରତରେ କୋଭିଡ୍-୧୯ ସଂକ୍ରମଣ ଶୀର୍ଷସ୍ତରକୁ ଯାଇପାରିବ ନାହିଁ। ବେଟର ସିନେରିଓ ପ୍ରୋଜେକ୍ସନ ଅନୁସାରେ, ସେପ୍ଟେମ୍ବର କିମ୍ବା ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ଦେଶରେ କୋଭିଡ୍-୧୯ ଶୀର୍ଷ ଛୁଇଁପାରେ। ସପ୍ତାହକୁ ଦିନେ କିମ୍ବା ଦୁଇ ଦିନ ଲକ୍ଡାଉନ୍ ବ୍ୟବସ୍ଥା ଉପରେ ଏହି ମଡେଲ ଅଧ୍ୟୟନ ଖୁବ୍ ଗୁରୁତ୍ୱ ଦେଇଛି।