ଉତ୍ତରପ୍ରଦେଶ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଘୁରା ରାମଙ୍କ କରୋନାରେ ମୃତ୍ୟୁ

ଉତ୍ତରପ୍ରଦେଶ ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସମାଜବାଦୀ ଦଳର ନେତା ଘୁରା ରାମ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେ ଗତ କିଛି ଦିନ ହେଲା ସ୍ଥାନୀୟ କିଙ୍ଗ ଜର୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପୁଅ ସନ୍ତୋଷ କୁମାରଙ୍କ ସୂଚନା ଅନୁସାରେ ଘୁରା ରାମଙ୍କର କାଶ ହେବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏହା ପରେ ତାଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବୁଧବାର ତାଙ୍କର କରୋନା ପରୀକ୍ଷା ହୋଇଥିଲା ଓ ସଂଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି। ବିଏସପି ପ୍ରତିଷ୍ଠାତା କାଂଶୀରାମଙ୍କୁ ଆଦର୍ଶ ଭାବେ ଗ୍ରହଣ କରିଥିବା ଘୁରାରାମ ୧୯୯୩, ୨୦୦୨, ୨୦୦୭ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ମାୟାବତୀଙ୍କ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ। ମାତ୍ର କିଛିଦିନ ତଳେ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା।