କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ୍ ଏରୋନେଟିକ୍ସ ଲିମିଟେଡ୍(ହାଲ୍) ପକ୍ଷରୁ ସୁନାବେଡ଼ାରେ ୨୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ୍ ହସ୍ପିଟାଲ୍ ଖୋଲିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ପ୍ରସ୍ତାବ ଦେଇଛନ୍ତି। ସାଂସଦ ଉଲ୍ଲାକା ହାଲ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରିବାକୁ ଦାବି କରିବା ସହ ହାଲ୍ ସିଏମଡିଙ୍କୁ ମଧ୍ୟ ଚିଠିର ନକଲ ପଠାଇଛନ୍ତି। ଅନ୍ୟପଟେ ଜିଲ୍ଲାରେ ଆଉ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର ଖୋଲାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରକାଶ କରିଛନ୍ତି । କୋରାପୁଟ ଗାନ୍ଧି ନଗରରେ ଥିବା ଅନ୍ୱେଷା ହଷ୍ଟେଲରେ ୧୩୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର ଖୋଲାଯିବାକୁ ଥିବାବେଳେ ଜୟପୁର ସିଟିଓ ନିକଟରେ ଥିବା ଏକ ଗୃହରେ ୭୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର ଖୋଲାଯିବାକୁ ନିଷ୍ପତ୍ତି ନିଆ ଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।