ଦ୍ୱିତୀୟଥର ପାଇଁ କୁଳଭୂଷଣଙ୍କୁ ମିଳିବ କୂଟନୈତିକ ସହାୟତା

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ପାକିସ୍ତାନ ଜେଲରେ ବନ୍ଦି ଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଦ୍ୱିତୀୟଥର ପାଇଁ କୂଟନୈତିକ ସହାୟତା ମିଳିବ। ଫଳରେ ଭାରତୀୟ ଦୂତାବାସ ଅଧିକାରୀ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟରେ କୂଳଭୂଷଣଙ୍କୁ ଭେଟିପାରିବେ। ଏହାପୂର୍ବରୁ ଭାରତୀୟ ଦୂତାବାସ ଅଧିକାରୀ ପାକିସ୍ତାନର ବୈଦେଶିକ ବ୍ୟାପାର କାର୍ଯ୍ୟାଳୟକୁ ଯାଇ ଏସମ୍ପର୍କରେ ବିଚାରବିମର୍ଶ କରିଛନ୍ତି। ଜୁଲାଇ ୨୦ ତାରିଖରେ ରିଭ୍ୟୁ ପିଟିସନ ଦାଖଲ ହେବା ପୂର୍ବରୁ ବିନା ସର୍ତ୍ତରେ କୁଳଭୂଷଣଙ୍କୁ ସାକ୍ଷାତ କରିବାର ସୁଯୋଗ ଦେବାକୁ ଭାରତ ସରକାର ଦାବି ରଖିବା ପରେ ପାକିସ୍ତାନ ଏନେଇ ପଦକ୍ଷେପ ନେଇଛି।

ଗୁଇନ୍ଦାଗିରି ଅଭିଯୋଗରେ ଫାଶି ଦଣ୍ଡାଦେଶ ପାଇଥିବା କୁଳଭୂଷଣ ରିଭ୍ୟୁ ପିଟିସନ ପରିବର୍ତ୍ତେ ରାଜକ୍ଷମା ଆବେଦନ କରିବାକୁ ଇଚ୍ଛା କରୁଛନ୍ତି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା। ଆଉ ଏହାକୁ ଭାରତ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଥିଲା। କୁଳଭୂଷଣ ୨୦୧୬ ମାର୍ଚ୍ଚ ମାସରେ ଗିରଫ ହୋଇଥିଲେ। ୨୦୧୭ ଏପ୍ରିଲରେ ପାକିସ୍ତାନୀ ମିଲିଟାରୀ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲା।

ସୂଚନାଯୋଗ୍ୟ, ପାକିସ୍ତାନ ୨୦୧୯ ସେପ୍ଟେମ୍ବରରେ କୁଳଭୂଷଣଙ୍କୁ ପ୍ରଥମଥର ପାଇଁ କନସୁଲାର ଆସେସ ଦେଇଥିଲା। ଏହାଦ୍ୱାରା ଭାରତର ଡେପୁଟି ହାଇ କମିଶନର ଗୌରବ ଅହଲୁବାଲିଆ ତାଙ୍କ ସହ ପାଖାପାଖିô ୨ ଘଣ୍ଟା ସାକ୍ଷାତ କରିଥିଲେ। ଏହାପରେ ବିଦେଶ ମନ୍ତ୍ରଣାଳୟ ବୟାନ ଜାରି କରି କହିଥିଲା କି, କୁଳଭୂଷଣ ଉପରେ ଲଗାଇଥିବା ମିଥ୍ୟା ଆରୋପକୁ ସ୍ୱୀକାର କରିବାକୁ ପାକିସ୍ତାନ ଚାପ ପକାଉଛି।