କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ଆଉ ୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ରେ ପହଞ୍ଚିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବିଏସଏଫ୍ ଯବାନ ରହିଛନ୍ତି ଯିଏକି ବିହାରରୁ ଫେରି ନାରାୟଣପାଟଣା ବ୍ଲକ୍ କୁମ୍ଭାରୀସ୍ଥିତ ଓଏଭି ହୋଷ୍ଟେଲ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ। ଅନ୍ୟ ତିନିଜଣ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେଇ ଫେରିବା ପରେ ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣାପଡ଼ିଛି। ସେମାନେ ହେଲେ କୋରାପୁଟ ଉଇଭରସ୍ କଲୋନୀର ଗୋଟିଏ ପରିବାରର ୨ ମହିଳା ଓ ଜଣେ ପୁରୁଷ। ସେଥିପାଇଁ ସଂକ୍ରମଣକୁ ଦୃଷ୍ଟିରେ ରଖି ନାରାୟଣପାଟଣା ଓଏଭି ହୋଷ୍ଟେଲ୍ର ୧୦୦ ମିଟର ପରିଧି ଓ କୋରାପୁଟ ବିଜ୍ଞାନ କଲେଜଠାରୁ ଗୌତମନଗର ରୋଡ୍, ଉଇଭରସ୍ କଲୋନୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ କୋଭିଡ୍ ନିୟମ ମାନି ଚଳିବାକୁ ମଧ୍ୟ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।