ଦେବଗଡ଼,ଏନ୍ଏନ୍ଏସ୍: ଜଣେ ଦାୟିତ୍ୱବାନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବଦଳିକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ତିଲେଇବଣୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଦେହୁରୀ, ଜିଲ୍ଲା ପରିଷଦ ସଦସ୍ୟା ବୃନ୍ଦାବତୀ ଭୋଇ ଏବଂ ଛେପିଲିପାଲି ସରପଞ୍ଚ ମିନି ବୁଡ଼। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ଏକ ସ୍ମାରକପତ୍ର ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ପ୍ରଦାନ କରିଛନ୍ତି। ସୂଚନା ଥାଉକି, ଗତ ୧୫ ତାରିଖ ଦିନ ଛେପିଲିପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ପରମେଶ୍ୱର ନାୟକଙ୍କ ଅକାଳ ବିୟୋଗ ପରେ ତାଙ୍କ ସ୍ଥାନରେ ବଡ଼ଛାପଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
ଶ୍ରୀ ବେହେରା ସୂଚାରୁ ରୂପେ ଦାୟିତ୍ୱ ତୁଲାଇବା ସହ କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟକରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ଅନ୍ୟପକ୍ଷରେ ଲଇମୁରା ପଞ୍ଚାୟତର ନିର୍ବାହୀ ଅଧିକାରୀ ଯୁଗଳ କିଶୋର ସାହୁ ଦୁର୍ନୀତି ଓ ଅନୈତିକ କାର୍ଯ୍ୟରେ ଲିପ୍ତଥିବାରୁ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବାପରେ ସେଠାରୁ ଆସି ଛେପିଲିପାଲି ପଞ୍ଚାୟତରେ ଅତିରିକ୍ତ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ସେଠାରୁ ଅପସାରଣ କରାଇ ସେହି ସ୍ଥାନରେ ନିଜେ ଅବସ୍ଥାପିତ ହେବା ପାଇଁ ଉଦ୍ୟମ ଜାରି ରଖିଥିବା ଅଭିଯୋଗ କରିଛନ୍ତି। ଶ୍ରୀ ବେହେରାଙ୍କୁ ଛେପିଲିପାଲି ପଞ୍ଚାୟତରୁ ଅନ୍ୟତ୍ର ଅପସାରଣ କଲେ ଉକ୍ତ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବାସହ କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ କରି ଉପରୋକ୍ତ ଜନପ୍ରତିନିଧିମାନେ ଶ୍ରୀ ବେହେରାଙ୍କୁ ଅନ୍ୟତ୍ର ବଦଳି ନ କରିବାକୁ ଜିଲ୍ଲା ପ୍ରଶାନ ନିକଟରେ ଅନୁରୋଧ କରିବା ସହ ଶ୍ରୀ ବେହେରାଙ୍କୁ ଛେପିଲିପାଲି ପଞ୍ଚାୟତରେ ସ୍ଥାୟୀନିଯୁକ୍ତି ପାଇଁ ଦାବି କରିଥିବା ଉଲ୍ଲେଖ ରହିଛି।