୩ କୁଇଣ୍ଟାଲ ଲୁହା ସାମଗ୍ରୀ ଜବତ, ୫ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେହେରାମାଲସ୍ଥିତ ଫେବ୍ରିକେସନ ଗୋଡାଉନରୁ ଚୋରି ହୋଇଥିବା ୩ କୁଇଣ୍ଟାଲ ଲୁହା ସାମଗ୍ରୀକୁ ପୁଲିସ ଜବତ କରିବା ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁକୁରଜଙ୍ଘା ହରେକୃଷ୍ଣପୁରର ରୂପକ ଗୁରୁ, ଲକ୍ଷ୍ମଣ ସାହୁ, ବୁଲୁ ସାହୁ, ଲଲିତ ରୋହିଦାସ, ଜିତେନ ସିଦାର। ଏଥିସହିତ ରୂପକ ଗୁରୁ ବିରୋଧରେ ପୂର୍ବରୁ ୬ଟି ଚୋରୀ ମାମଲା ବଡ଼ମାଲ ଥାନାରେ ରହିଥିବା ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବେହେରାମାଲସ୍ଥିତ ଫେବ୍ରିକେସନ ଗୋଡାଉନରୁ ଗତ ୧୨ତାରିଖ ରାତିରେ ଚୋରମାନେ ପ୍ରାୟ ୩ କୁଇଣ୍ଟାଲ ଓଜନର ଲୁହା ଏଙ୍ଗଲ, ଚେନାଲ, ସିଟ୍ସ ଆଦି ଚୋରି କରିଥିଲେ। ଏନେଇ ଗୋଡାଉନ ମାଲିକ ବଡ଼ମାଲ ଥାନାରେ ଲିିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରୂପକ ଓ ତା’ର ସହଯୋଗୀମାନେ ସ୍ଥାନୀୟ ଅଞ୍ଚଳରେ କିଛିଦିନ ପୂର୍ବରୁ ବୁଲାବୁଲି କରୁଥିବା ଖବରପାଇ ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ପରେ ଅଭିଯୁକ୍ତମାନେ ଚୋରି କରିଥିବା ସ୍ୱୀକାର କରିବା ସହ ଚୋରୀ ସାମଗ୍ରୀ ପୁଲିସକୁ ହସ୍ତାନ୍ତର କରିଥିଲେ।