ପୁଣି ଜଣେ ମାଓବାଦୀର ଶବ ସତ୍କାର କଲା ପୁଲିସ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଗତ ୫ ଓ ୬ ତାରିଖରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫ ତାରିଖରେ ହୋଇଥିବା ଗୁଳି ବିନିମୟରେ ୪ ଜଣ ନିହତ ହୋଇଥିବା ବେଳେ ଶୁକ୍ରବାର ୩ ଜଣଙ୍କ କେହି ଦାବି ଦାର ନଆସିବାରୁ ସେମାନଙ୍କ ଅନ୍ତିମ ସତ୍କାର ପୁଲିସ କରିଥିଲା। ସେହିପରି ୬ ତାରିଖରେ ହୋଇଥିବା ଗୁଳିବିନିମୟରେ ନିହତ ହୋଇଥିବା ମାଓବାଦୀର କେହି ମଧ୍ୟ ଦାବିଦାର ନଆସିବାରୁ ଆଜି ପୁଲିସ ଶବ ସତ୍କାର କରିଛି। ଫୁଲବାଣୀ ତହସିଲଦାର ଚିହ୍ନଟ କରିଥିବା ବିଡ଼ାଙ୍ଗିସାହି ନକ୍ସଲଙ୍କ ଏକ ସ୍ଥାନରେ ଉକ୍ତ ଶବକୁ ସତ୍କାର କରାଯାଇଛି।

୫ ତାରିଖରେ ନିହତ ହୋଇଥିବା ୪ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିନାହିଁ। ସେହିପରି ଦୁଇ ଜଣ ହେଲେ ଛତିଶଗଡ଼ ଅଞ୍ଚଳର ଇତେଶ ଓ ରିନା। ସେହିପରି ଅନ୍ୟ ଜଣେ ନିହତ ମାଓବାଦୀ ସୁକ୍ରୁ ଓରଫ କୋଷା ସୋଡିଙ୍କ ସାନ ଭାଇ ଗତ ୮ ତାରିଖରେ ଆସି ଦାବି ଜଣାଇବା ପରେ ପୁଲିସ ମୃତ ଶରୀର ହସ୍ତାନ୍ତର କରିଥିଲା। ୬ ତାରିଖ ରାତିରେ ପୁଣି ସେହି ଜଙ୍ଗଲରେ ଅନ୍ୟ ଜଣେ ମାଓବାଦୀଙ୍କ ପୁଲିସ ଗୁଳିରେ ନିହତ ହୋଇଥିବା ବେଳେ ମାଓବାଦୀର କୌଣସି ପରିଚୟ ମିଳିନଥିବା କନ୍ଧମାଳ ଏସପି ପ୍ରତିକ୍ ସିଂ ସୂଚନା ଦେଇଛନ୍ତି।