ରାୟଗଡ଼ା,ଏନ୍ଏନ୍ଏସ୍: ଦଶ ଦିନ ମଧ୍ୟରେ ରାୟଗଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଡେଇଁଛି। ପ୍ରବାସୀ ଶ୍ରମିକଙ୍କ ଫେରିବା ପରେ ସଂକ୍ରମଣ ହାର ବୃଦ୍ଧି ଘଟିଛି। ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶ ଜାରି ହୋଇଥିବାବେଳେ ଅଧିକାଂଶ ଲୋକେ ଏହାକୁ ଅମାନ୍ୟ କରୁଥିବା ଦେଖିବାକୁ ମିଳିଛି। ଗୁଣୁପୁର ଉପଖଣ୍ଡ ଶିରିଝୋଲି ପଞ୍ଚାୟତ ବିଜୟପୁର ଗ୍ରାମରେ ଆନ୍ଧ୍ରପ୍ରଦେଶ ଫେରନ୍ତା ଦମ୍ପତିଙ୍କ ସଂସ୍ପର୍ଶରେ ଆସିଥିବାରୁ ସେହି ଗ୍ରାମର ୯୫ଜଣ କରୋନାରେ ଆକ୍ରାନ୍ତ ହୋଇ ଏବେ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ଆମାନିଆଙ୍କ ଖାମଖିଆଲି ମନଭାବ ଯୋଗୁଁ ଗତ ୧୦ଦିନ ମଧ୍ୟରେ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୧୩୮ ହୋଇଛି।