ଭାରତରେ ଦୁଇଟି କରୋନା ଟିକା ପରୀକ୍ଷଣ ସ୍ତରରେ ରହିଛି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ବାୟୋଟେକ୍ ଓ କାର୍ଡିଲା ପକ୍ଷରୁ ଦେଶରେ କରୋନା ଟିକା ପ୍ରସ୍ତୁତି ନେଇ ଏବେ ଗବେଷଣା ଚାଲିଛି। ଆଇସିଏମଆରର ଅନୁମତି ମିଳିବା ପରେ ଉଭୟ ଟିକା ପଶୁଙ୍କ ଉପରେ ସଫଳତାର ସହ ପରୀକ୍ଷଣ ହୋଇଛି। ଏହି ଦୁଇଟି ଟିକାର ଫେଜ୍-୧ ଓ ଫେଜ୍-୨ ପରୀକ୍ଷା ପାଇଁ ଡିସିଜିଆଇ ଅନୁମତି ଦେଇଛି। ତେବେ ମାନବ ପରୀକ୍ଷଣ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓଏସଡି ରାଜେଶ ଭୂଷଣ କହିଛନ୍ତି। ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିଲେ ମଧ୍ୟ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱର ଅନ୍ୟ ରାଷ୍ଟ୍ର ତୁଳନାରେ ସର୍ବନିମ୍ନ ସ୍ତରରେ ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଡବ୍ଲୁଏଚଓ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୧୦ ଲକ୍ଷ ଲୋକରେ ୫୩୮ ଜଣ ସଂକ୍ରମିତ ହେବା ଦେଖାଯାଇଛି।

କିନ୍ତୁ କେତେକ କରୋନା ପ୍ରଭାବିତ ଦେଶରେ ଏହି ସଂଖ୍ୟା ଭାରତ ଠାରୁ ୧୫-୧୬ ଗୁଣ ଅଧିକ। ସେହିପରି ଭାରତରେ ପ୍ରତି ୧୦ ଲକ୍ଷ ଲୋକରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫ ରହିଛି। କିଛି ଦେଶରେ ଏହି ସଂଖ୍ୟା ଭାରତ ଠାରୁ ପ୍ରାୟ ୪୦ ଗୁଣ ଅଧିକ। ସେ କହିଛନ୍ତି ଯେ ଭାରତରେ ଏବେ ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷ ୬୯ ହଜାର ରହିଛି। ଏହା ଦର୍ଶାଉଛି ଯେ, ଭାରତ କରୋନା ପରିସ୍ଥିତିକୁ ଭଲ ଭାବରେ ପରିଚାଳନା କରିଛି, ଏଣୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ କମ ବୋଝ ପଡୁଛି।