ବାରିପଦା, ଏନ୍ଏନ୍ଏସ୍: ବିଲରେ ଚାଷ କାମ କରୁଥିବା ବେଳେ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡିପଡ଼ିବାରୁ ଘଟଣାସ୍ଥଳରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦା ବ୍ଲକ ତଥା ବେତନଟୀ ଥାନା ଅଧୀନ ବୁଢ଼ୀଖମାରୀ ଗ୍ରାମପଞ୍ଚାୟତ କାଠପାଳ ଗ୍ରାମରେ ଏହି ଘଟଣା ଘଟିଛି। ପ୍ରକାଶ ଯେ, ଗ୍ରାମର ଭାସ୍କର ଚନ୍ଦ୍ର ମହାନ୍ତ(୬୫) ଆଜି ସକାଳେ ଜମି ହିଡ଼ର କାମ କରୁଥିଲେ। ଏହି ସମୟରେ ଉପରେ ଦେଇଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଓ ଖୁଣ୍ଟରୁ ଚିନାମାଟିରେ ନିର୍ମିତ ଶଙ୍ଖ ଖସି ପଡ଼ିଥିଲା। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ଗ୍ରାମବାସୀ ସେଠାରେ ପହଞ୍ଚିବାରୁ ଉତ୍ତେଜନା ଦେଖା ଦେଇଥିଲା।
ବେତନଟୀ ପୁଲିସ ଏବଂ ବିଦ୍ୟୁତ୍ ବିଭାଗର ରୁରାଲ ଏସଡିଓ ସତ୍ୟବ୍ରତ ସେଠୀ ଲୋକଙ୍କୁ ବୁଝାସୁଝା କରିଥିଲେ। ବିଦ୍ୟୁତ୍ ବିଭାଗ ପକ୍ଷରୁ ଭାସ୍କରଙ୍କ ଶୁଦ୍ଧିକ୍ରିୟା ପାଇଁ ୨୫ ହଜାର ଟଙ୍କା ଦେବାସହ ୭ ଦିନ ମଧ୍ୟରେ ପୁରୁଣା ତାର ଓ ଖୁଣ୍ଟ ଆଦି ପରିବର୍ତ୍ତନ କରାଇବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଇଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ୨୫ ହଜାର ଟଙ୍କା ଦେବାକୁ ବୁଢ଼ୀଖମାରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ଦେହୁରୀ ତୀବ୍ର ବିରୋଧ କରିଛନ୍ତି ।