ପୋତି ହୋଉଛି ପ୍ରକଳ୍ପ, କେନାଲରେ ଆସୁନି ପାଣି,  ଚିନ୍ତାରେ ଚାଷୀ

ରାୟଗଡ଼ା,ଏନ୍ଏନ୍ଏସ୍: ପୋତି ହେଉଛି ଜଳ ପ୍ରକଳ୍ପ। କେନାଲରେ ଆସୁନି ପାଣି। ରାୟଗଡ଼ା ଜିଲ୍ଲାର ଅନେକ ଜମିର ଅବସ୍ଥା ଏହିଭଳି। ଜମିରେ ପାଣି ଆସୁନଥିବାରୁ ଚାଷ ହୋଇନପାରି ଅନେକ ଜମି ପଡିଆ ପଡ଼ିଛି। ସୂଚନା ଅନୁସାରେ, ରାୟଗଡା ସଦର ବ୍ଲକ୍ ସିଲ୍ଟିଗୁଡା ଜଳ ପ୍ରକଳ୍ପ ଗତ ୧୯୯୮ ଓ ୧୯୯୯ ମସିହାରେ ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ସେମାନଙ୍କର କ୍ଷେତ ଯାଏଁ ଜଳ ସେଚନ ସୁବିଧା ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରକଳ୍ପ ନିର୍ମାଣ ହୋଇଥିଲେ ସୁଧା ପ୍ରକୃତ ଉଦ୍ଦେଶ୍ୟ ପୂରଣ ହେଉନାହିଁ। ଜିଲ୍ଲା କ୍ଷୁଦ୍ର ଜଳସେଚ ବିଭାଗ ଦ୍ୱାରା ନିର୍ମାଣ ଏହି ପ୍ରକଳ୍ପ ସେତେବେଳେ ପ୍ରାୟ ୩ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିଲା। ଏଥିରୁ ୧୩ଟି ଶାଖା କେନାଲ ବାହାରି ସ୍ଥାନୀୟ ଖଲିଗୁଡା, ବିରନାରାୟଣପୁର, ବାରିଝୋଲା, ଦେବଦଳା, କୁମତାଲପେଟା ଗାଁ ସମେତ ଭାକୁରଗୁଡା ଓ କୋତାପେଟା ଆଦି ଗ୍ରାମର ଚାଷୀ କେନାଲ ଦ୍ୱାରା ଉପକୃତ ଲକ୍ଷ୍ୟ ରହିଥିଲା । କିନ୍ତୁ ଦିର୍ଘବର୍ଷ ଧରି ମୁଖ୍ୟ କେନାଲ ସମେତ ଶାଖା କେନାଲ ଗୁଡ଼ିକ ଅନେକ ସ୍ଥାନରେ ଭାଙ୍ଗି ପୋତି ହୋଇ ପଡିଥିବାରୁ ତଳମୁଣ୍ଡରେ ପାଣିପହଞ୍ଚି ପାରୁନାହିଁ।  ଗତ ୨୦୧୮-୧୯ବର୍ଷରେ ଏହି ପ୍ରକଳ୍ପ ପାଇଁ ପୁଣି ୩ କୋଟି ଟଙ୍କା ବ୍ୟୟ ବରାଦରେ ଉନ୍ନତିକରଣ ଓ ପୁନଃଉର୍ଦ୍ଧାର କାର୍ଯ୍ୟ କରାଯାଇଥିଲା। ହେଲେ ଇତିମଧ୍ୟରେ ବର୍ଷେ ବିତିନଥିବାବେଳେ ଏହାର ଶାଖା କେନାଲ ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଛି। ଅନୁରୂପ ମୁଖ୍ୟ ଡ୍ୟାମ ମଧ୍ୟ ଅନେକାଂଶରେ ପୋତି ହୋଇଥିବାରୁ ଜଳଧାରଣା କ୍ଷମତା ମଧ୍ୟ କମିବା ଦେଖିବାକୁ ମିଳିଛି। ଚଳିତଥର ପୁଣି ଡ୍ୟାମକୁ ପୁନରୁଦ୍ଧାର ପାଇଁ ସରକାରୀ ରାଜକୋସରୁ କୋଟିଏ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି। ସିଲ୍ଟିିଗୁଡା ଜଳପ୍ରକଳ୍ପ ମରାମତି କାର୍ଯ୍ୟପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହାର ସୁଫଳ ଚାଷୀଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି।  ଏ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଅଧିକାରୀ ସାନ୍ତନୁ କୁମାର ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଚଳିତଥର ପାଣ୍ଠି ମଞ୍ଜୁର ହୋଇଛି। ଏହାକୁ ପୁନରୁଦ୍ଧାର କରାଯିବ। କିଛି ସ୍ଥାନରେ ଶାଖା କେନାଲ ଭାଙ୍ଗିଥିବାରୁ ସମସ୍ୟା ଦେଖାଦେଇଛି। ଏହାକୁ ଖୁବଶୀଘ୍ର ମରାମତି କରିଯିବ ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।