ଆଜିଠୁ ଜୁଲାଇ ୩୧ ଯାଏଁ ପୁରୀରେ ବାହାର ଜିଲ୍ଲାର ଲୋକଙ୍କ ପ୍ରବେଶ ନିଷେଧ, କଟକଣା ଜାରି କଲେ ଜିଲ୍ଲାପାଳ

ପୁରୀ,ଏନ୍ଏନ୍ଏସ୍: ବାହାର ଜିଲ୍ଲାର ଲୋକଙ୍କ ପାଇଁ ଆଜିଠୁ ଜୁଲାଇ ୩୧ ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ପ୍ରବେଶ ନିଷେଧ କରାଯାଇଛି। ଜିଲ୍ଲାପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।

ଏଥିସହ ଜିଲ୍ଲାପାଳ ଶ୍ରୀ ସିଂହ କହିଛନ୍ତି ଯେ, ଜୁଲାଇ ୩୧ ଯାଏଁ ବାହାର ଜିଲ୍ଲାର ଲୋକେ ପୁରୀ ନଆସନ୍ତୁ। ଯଦି କେହି କାମରେ ପୁରୀକୁ ଆସୁଛନ୍ତି ତା’ହେଲେ ପରିଚୟପତ୍ର ଆଣି ଆସନ୍ତୁ। ପୁଲିସ ପକ୍ଷରୁ ପୁରୀକୁ ସଂଯୋଗ କରୁଥିବା ଭୁବନେଶ୍ୱର-ପୁରୀ ରାସ୍ତା, ଅସ୍ତରଙ୍ଗ-ପୁରୀ ଓ ଜଗନ୍ନାଥ ସଡ଼କରେ ନାକାବନ୍ଦୀ ଆରମ୍ଭ ହୋଇଛି। ଅତ୍ୟାବଶ୍ୟକ ଥିବା ଲୋକଙ୍କୁ ପୁଲିସ ପୁରୀ ଯିବାକୁ ଅନୁମତି ଦେଉଛି। ଗତକାଲି ମହାପ୍ରଭୁ ଶ୍ରୀ ମନ୍ଦିରକୁ ଫେରିଥିବାରୁ ବାହାର ଜିଲ୍ଲାରୁ ବହୁମାତ୍ରାରେ ଭକ୍ତମାନେ ପୁରୀକୁ ଆସିବେ। ଯାହାଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଜିଲ୍ଳାପାଳ ଆହୁରି କହିଛନ୍ତି, ରବିବାରଠାରୁ ପୁରୀରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରିଦିଆଯାଇଛି। ନିୟମ ଭାଙ୍ଗିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିବ। ସେହିଭଳି ଜୋରିମାନା ମଧ୍ୟ ଦେବାକୁ ପଡ଼ିବ।