ରାମନାଗୁଡା/ଗୁଣୁପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ସିରିଝୋଲି ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ୩ଟି ବସ ଯୋଗେ ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ସଂଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ବହୁସଂଖ୍ୟକ ଲୋକଙ୍କୁ କୁଜେନ୍ଦ୍ରୀ ସଗଂରୋଧ କେନ୍ଦ୍ରକୁ ନିଆଯାଉଥିବା ଜାଣି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଫଳରେ ସିରିଝୋଲି ଗ୍ରାମବାସୀ ବର୍ଷାରେ ଓଦାହୋଇ ଚାଲି ଚାଲି ଫେରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ପ୍ରଶାସନ ପକ୍ଷରୁ ସିରିଝୋଲି ଗ୍ରାମର ସମସ୍ତ ଲୋକଙ୍କୁ ବସ ଯୋଗେ କୁଜେନ୍ଦ୍ରୀ ସଂଗରୋଧ କେନ୍ଦ୍ରକୁ ସ୍ୱାବ ସଂଗ୍ରହ ନିମନ୍ତେ ନେବାକୁ ନିଷ୍ପତ୍ତି ହୋଇଥିଲା। ଏନେଇ ୧୮୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ୩ଟି ବସରେ କୁଜେନ୍ଦ୍ରୀ କେୟାର ସେଣ୍ଟର ନିଆଯାଇଥିଲା। ତେବେ କୁଜେନ୍ଦ୍ରୀକୁ ଅନ୍ୟଗ୍ରାମରୁ ବହୁ ସଂଖ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ଶୁଣି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଗ୍ରାମବାସୀମାନେ ସଂକ୍ରମଣ ଭୟ ଥିବାରୁ କୌଣସି ପରିସ୍ଥିତିରେ ସେମାନଙ୍କୁ ଗାଁରେ ରଖାଯାଇପାରିବ ନାହିଁ ବୋଲି ଅଡି ରହିଥିଲେ। ଏଭଳି ସ୍ଥିତିରେ ସିରିଝୋଲି ଗ୍ରାମବାସୀ ଉପାୟ ନପାଇ ବର୍ଷାରେ ଓଦା ହୋଇ ନିଜ ଗ୍ରାମକୁ ଫେରୁଥିବା ଦେଖାଯାଇଛି। ସେହିପରି ପ୍ରଶାସନ ପକ୍ଷରୁ କିଛି ଲୋକଙ୍କୁ ଡ଼ମ୍ବସରା ସଂଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଗୋଷ୍ଠୀ ସଂକ୍ରମଣ ରୋକିବା ନେଇ ପ୍ରଶାସନ ପ୍ରସ୍ତୁତି ଜାରି ରଖିଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି।