ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୨୫ରେ ପହଞ୍ଚିଛି। ଜିଲ୍ଲାର କ୍ୱାରେଣ୍ଟିନ ସେଣ୍ଟର ବାହାରୁ ବିଶୋଇ ଓ ଗୋପବନ୍ଧୁନଗର ଆଦି ବ୍ଲକରୁ ୨ ଜଣ ଲେଖାଏଁ ୪ ଜଣ, ବଡ଼ସାହି ବ୍ଲକରୁ ୫ ଜଣ ଏବଂ ବାରିପଦା ବ୍ଲକରୁ ଜଣେ ଏହିପରି ମୋଟ ୧୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରେ ବିଶୋଇ ଓ ବଡ଼ସାହି ବ୍ଲକ ଅଞ୍ଚଳରୁ ୫ ଜଣ କୋଭିଡ଼ ଯୁଦ୍ଧା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥି ସହିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଫଳରେ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୬୬ ଏବଂ ସକ୍ରିୟ ସଂଖ୍ୟା ଆଜିର ୧୦ ଜଣକୁ ମିଶାଇ ୫୮ରେ ପହଞ୍ଚିଛି।