ବ୍ରିଟେନକୁ ଚୀନର ଧମକ: ହଂକଂ ମାମଲାରୁ ଦୂରେଇ ରୁହ

ବେଜିଂ,ଏଜେନ୍ସି : ହଂକଂବାସୀ ଏବେ ଚୀନର ନାଗରିକ। ୧୯୯୭ରେ ବେଜିଂ ଲଣ୍ଡନଠାରୁ ହଂକଂ ଦାୟିତ୍ୱ ମୁଣ୍ଡାଇବା ପରେ ହଂକଂବାସୀଙ୍କ କଥା ଚିନ୍ତା କରିବାର ଅଧିକାର ଲଣ୍ଡନର ନାହିଁ ବୋଲି ଗୁରୁବାର ରୋକଠୋକ୍ ଜଣାଇଦେଇଛି। ବେଜିଂ ଦୀର୍ଘ ୫୦ ବର୍ଷ ଧରି ହଂକଂ ଉପରେ ସାର୍ବଭୌମତ୍ୱ ଉପଭୋଗ କରିଆସୁଛି। ସେହି ଦୃଷ୍ଟିରୁ ହଂକଂ ଜନତାଙ୍କୁ ଚୀନ ନାଗରିକ ମଣି ଅସ୍ଥାୟୀ ନାଗରିକତା ଦେବା ନିଷ୍ପତ୍ତିରୁ ଓହରିଯିବାକୁ ଲଣ୍ଡନକୁ ତାଗିଦ କରିଛି ବେଜିଂ। ସେ ସମ୍ପର୍କରେ ଲଣ୍ଡନସ୍ଥିତ ଚୀନ ଦୂତାବାସ ପକ୍ଷରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି।

ହଂକଂବାସୀଙ୍କ ସ୍ୱାଧୀନତା ଆଞ୍ଚ ଆଣୁଥିବା ଭଳି ବିବାଦୀୟ ବିଲ ବେଜିଂ ସଂସଦର ଅନୁମୋଦନ ଲାଭ କରିବା ପରେ ଲଣ୍ଡନ ଉଦବେଗ ପ୍ରକାଶ କରିଥିଲା। ହଂକଂବାସୀଙ୍କ ଭାଗ୍ୟକୁ ସ୍ୱେଚ୍ଛାଚାରୀ ଶାସକଙ୍କ ହାତକୁ ଟେକି ଦେଇଥିବାରୁ ନିଜକୁ ଦୋଷୀ ମନେକରି ଲଣ୍ଡନ ପ୍ରାୟ ୩୦ ଲକ୍ଷ ହଂକଂବାସୀଙ୍କୁ ଅସ୍ଥାୟୀ ନାଗରିକତା ପ୍ରଦାନ କରିବାକୁ ରାଜି ହୋଇଥିଲା। ମାତ୍ର ଲଣ୍ଡନର ନିଷ୍ପତ୍ତି ଆନ୍ତର୍ଜାତିକ ଆଇନ ଓ କୂଟନୈତିକ ବୁଝାମଣାକୁ ଉଲ୍ଲଙ୍ଘନ କରୁଛି ବୋଲି ବେଜିଂ ଦୂତାବାସ ଚିଠିରେ ଦର୍ଶାଇଛି।